ରାଜ୍ୟ

କେନ୍ଦ୍ରର କୋଇଲା ଖଣି ଆବଣ୍ଟନକୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧ

Posted on

ଭୁବନେଶ୍ୱର : ଓଡ଼ିଶାର ୪ଟି କୋଇଲା ଖଣିର ଆବଣ୍ଟନ ୱେଷ୍ଟର୍ଣ୍ଣ କୋଲ୍ଫିଲ୍ଡସ୍ ଲିଃ ସପକ୍ଷରେ କରିବା ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ବିରୋଧ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି କେନ୍ଦ୍ର ସରକାରଙ୍କ ନିକଟରେ ବିଧିବଦ୍ଧ ଆପତ୍ତି ଜଣାଇବା ସହ ୱେଷ୍ଟର୍ଣ୍ଣ କୋଲ୍ଫିଲ୍ଡସ୍ ଲିଃ(ଡବ୍ଲ୍ୟୁସିଏଲ) ପରିବର୍ତ୍ତେ ମହାନଦୀ କୋଲ୍ଫିଲ୍ଡସ୍ ଲିଃ(ଏମସିଏଲ୍)କୁ ଏହି ଖଣିଗୁଡ଼ିକୁ ଆବଣ୍ଟନ କରିବା ପାଇଁ ଦାବି କରିଛନ୍ତି ।
କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଆଜି ଚିଠି ଲେଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ଓଡ଼ିଶାର ୪ଟି କୋଇଲା ଖଣି ଯଥା ରାମ୍ପିଆ, ଡିପ୍ସାଇଡ୍ ରାମ୍ପିଆ,ଘୋର୍ଗାପାଲ୍ଲୀ ଓ ଘୋର୍ଗାପାଲ୍ଲୀ ଡିପ୍ ଏକ୍ସଟେନସନ୍ ଖଣିକୁ ଡବ୍ଲ୍ୟୁସିଏଲ୍କୁ ଆବଣ୍ଟନ ପାଇଁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ସିଆଇଏଲ୍ର ସବ୍ସିଡି ସଂସ୍ଥା ଏମ୍ସିଏଲ୍ କାର୍ଯ୍ୟ କରୁଥିବାବେଳେ ମହାରାଷ୍ଟ୍ରର ନାଗପୁରରେ ମୁଖ୍ୟାଳୟ ଥିବା ଡବ୍ଳ୍ୟୁସିଏଲ୍କୁ କୋଇଲା ଖଣି ଆବଣ୍ଟନ କରିବା ଉଚିତ୍ ହୋଇନାହିଁ । ବିଶେଷକରି କୋଇଲା ଖଣି ଖନନ ନିମନ୍ତେ ପ୍ରଭାବିତ ହେବାକୁ ଥିବା ପରିବାରର ବିସ୍ଥାପନ ଓ ପୁନଃଥଇଥାନ ଏବଂ ଜମି ଅଧିଗ୍ରହଣ ପ୍ରକ୍ରିୟା ପାଇଁ ସ୍ଥାନୀୟ ପ୍ରଶାସନ ସହ ଘନିଷ୍ଠ ସମନ୍ୱୟ ରକ୍ଷା କରିବା ଜରୁରୀ । କିନ୍ତୁ ଯେଉଁ ସଂସ୍ଥାକୁ କୋଇଲା ଖଣି ଆବଣ୍ଟିତ ହୋଇଛି ତା’ର ମୁଖ୍ୟାଳୟ ନାଗପୁରରେ ରହିଥିବାରୁ ସ୍ଥାନୀୟ ସମସ୍ୟାର ସମାଧାନ ଠିକ୍ ଭାବେ ହେବା ସମ୍ଭବପର ନୁହେଁ । ଯାହାକି ପରବର୍ତ୍ତୀ ସମୟରେ କୋଇଲା ଖଣି ଖନନ କାର୍ଯ୍ୟକୁ ପ୍ରଭାବିତ କରିବ । ରାଜ୍ୟରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବା ଏମ୍ସିଏଲ୍ ୨୦୧୭-୧୮ ଆର୍ଥିକ ବର୍ଷରେ ୧୪୩ ମିଲିୟନ ଟନ୍ରୁ ଊଦ୍ଧ୍ୱର୍ କୋଇଲା ଉତ୍ପାଦନ କରିଛି । ବିସ୍ଥାପିତ ଅଞ୍ଚଳର ଲୋକଙ୍କ ଥଇଥାନ ଓ ପୁନଃବସତି କ୍ଷେତ୍ରରେ ଏମ୍ସିଏଲ୍ର ଆଭିମୁଖ୍ୟ ବେଶ୍ ଭଲ । ଏମ୍ସିଏଲ୍ ସହ ରାଜ୍ୟର ଭାଗିଦାରୀ ମଧ୍ୟ ଅଧିକ ନିବିଡ଼ ହୋଇପାରିବ । ଯଦି ଏମ୍ସିଏଲ୍ ଏତେ ସଂଖ୍ୟକ କୋଇଲା ଖଣି ପରିଚାଳନା କରିବାରେ ଅସମର୍ଥ ହେଉଛି ତା’ହେଲେ ତାଳଚେର କୋଲ୍ଫିଲ୍ଡସ୍ ପାଇଁ ଅନ୍ୟ ଏକ ସହଯୋଗୀ ସଂସ୍ଥା ସ୍ଥାପନ କରିବା ଦିଗରେ ସିଆଇଏଲ୍ ବିଚାର କରିପାରିବ । ଆଇବି ଭ୍ୟାଲିରେ ଏମସିଏଲ୍ ନିଜର ଖନନ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରିପାରିବ ବୋଲି ଶ୍ରୀ ପଟ୍ଟନାୟକ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version