ରାଜ୍ୟ
କୋଟିଆ ଉନ୍ନତି ପାଇଁ ୧୫୦ କୋଟିର ପ୍ରକଳ୍ପ
ଭୁବନେଶ୍ୱର : କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜର ଭିତ୍ତିଭୂମିର ବିକାଶ ପାଇଁ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରୀ କରାଯିବ। ଏଥିରେ କୋଟିଆରେ ଭିତ୍ତିଭୂମିର ବିକାଶ ପାଇଁ ଜିଲ୍ଲାପାଳଙ୍କୁ ସମ୍ପୂର୍ଣ୍ଣ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏହା ବ୍ୟତୀତ ଆବଶ୍ୟକ ହେଲେ ଜିଲ୍ଲା ମିନେରାଲ ଫଣ୍ଡରୁ ଅର୍ଥ ଆଣି ଖର୍ଚ୍ଚ କରିବା ପାଇଁ କ୍ଷମତା ପ୍ରଦାନ କରାଯାଇଛି।
ବୈଠକ ପରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ସାମ୍ୱାଦିକ ମାନଙ୍କୁ କହିଥିଲେ ଯେ ଏହି ଅର୍ଥରେ ଫାଣ୍ଡିକୁ ଥାନାରେ ପରିଣତ କରିବା , ରାସ୍ତା ଓ ସେତୁ ନିର୍ମାଣ କରିବା, ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକାଶ, ଆରଆଇ ଅଫିସ୍ କରିବା, ଥାନାର ବିଲ୍ଡିଂ ଓ କର୍ମଚାରୀଙ୍କ ପାଇଁ କ୍ୱାର୍ଟର ନିର୍ମାଣ କରିବା ଇତ୍ୟାଦିରେ ବ୍ୟୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷକ ମଧ୍ୟରେ ଆଖିଦୃଶିଆ ଉନ୍ନତିମୂଳକ କାଯ୍ର୍ୟ ଶେଷ କରିବା ପାଇଁ କୁହାଯାଇଛି। କେବିକେ ମୁଖ୍ୟ ପ୍ରଶାସକଙ୍କ ଦ୍ୱାରା ପ୍ରତି ମାସରେ ଏହି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରାଯିବ ଏବଂ ମନ୍ତ୍ରୀସ୍ତରୀୟ ସମୀକ୍ଷା ବୈଠକ ପ୍ରତି ତିନିମାସରେ ଅନୁଷ୍ଠିତ ହେବ ବୋଲି ସେ ପ୍ରକାଶ କରିଥିଲେ।
ସେହିପରି ସେପ୍ଟେମ୍ୱର ସୁଦ୍ଧା କୋଟିଆ ପଞ୍ଚାୟତର ସମସ୍ତ ଗ୍ରାମକୁ ବିଦ୍ୟୁତକରଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସେଠାରେ ହାଇ ମାକ୍ସ ଟାୱାର କରାଯିବ । ବିଏସଏନଏଲ ଅପ୍ଟିକାଲ ଟାୱାର ମଧ୍ୟ ସ୍ଥାପନ କରାଯିବ । ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ଆନ୍ଧ୍ରର ଯେଉଁ ଅଧିକାରୀମାନେ କୋଟିଆକୁ ଆସି ଉନ୍ନୟନ କାର୍ଯ୍ୟ କରୁଛନ୍ତି ତାକୁ କିପରି ରୋକାଯିବ ସେସମ୍ପର୍କରେ ଉଭୟ ରାଜ୍ୟର ପ୍ରଶାସନିକ ସ୍ତରରେ ଆଲୋଚନା କରିବାର ପ୍ରସ୍ତାବ ରହିଛି ।
କେବିକେର ମୁଖ୍ୟ ପ୍ରଶାସକ ଏସ.ପି ଠାକୁରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ କମିଟିର ସୁପାରିଶ ମୁତାବକ କୋଟିଆ ଗ୍ରାମପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। କୋଟିଆସ୍ଥିତ ଆବାସିକ ସେବାଶ୍ରମ ସ୍କୁଲକୁ ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ କରାଯିବା ସହିତ ୩୦୦ ଶଯ୍ୟାବିଶିଷ୍ଟ ଅନୁସୂଚିତ ଜନଜାତି ବାଳକ ଓ ୨୦୦ ଶଯ୍ୟାବିଶିଷ୍ଟ ଅନୁସୂଚିତ ଜନଜାତି ବାଳିକା ଛାତ୍ରାବାସ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ସେହିପରି କୋଟିଆ ଗ୍ରାମପଞ୍ଚାୟତର ସମସ୍ତ ୨୮ଟି ଗ୍ରାମଗୁଡ଼ିକରେ ସଂଯୋଗ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯିବ। ଏଥି ସହିତ ବିଭାଗ ତରଫରୁ ଅଗ୍ରାଧିକାର ଭିତିରେ ଏକ ସେତୁ ନିର୍ମାଣ କରାଯାଉଛି ଯଦ୍ଦ୍ୱାରା ୯ଟି ଗ୍ରାମକୁ ସଂଯୋଗ କରାଯାଇ ପାରିବ। ଇତି ମଧ୍ୟରେ କେତୋଟି ରାସ୍ତା ନିର୍ମାଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଛି।
କୋଟିଅ। ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୩ଟି ୱାର୍ଡମେମ୍ୱର ମଧ୍ୟରୁ ଖାଲିଥିବା ୬ଟି ୱାର୍ଡ ମଧ୍ୟରୁ ୫ଟି ୱାର୍ଡ ମେମ୍ୱର ପଦବୀ ପୂରଣ କରାଯାଇଛି। କମିଟିର ପ୍ରସ୍ତାବ ଅନୁଯାୟୀ କୋଟିଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ୨୦୧୮ ମାର୍ଚ୍ଚ ୨୧ ତାରିଖରୁ ପ୍ରତି ବୁଧବାର ଦିନ ସାପ୍ତାହିକ ହାଟ ଅନୁଷ୍ଠିତ ହେଉଛି। ସେହିପରି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ କୋଟିଆ ରାଜସ୍ୱ ବଙ୍ଗଳାଠାରେ ଫେବୃଆରୀ ୧୯ ତାରିଖରୁ କାର୍ଯ୍ୟ କରୁଛି। ସ୍ୱାସ୍ଥ୍ୟସେବାର ଉନ୍ନତି ନିମନ୍ତେ କୋଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ୧୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ଉନ୍ନୀତ କରାଯିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ତରଫରୁ ଏକ ଅଟକଳ ପ୍ରସ୍ତାବ ଦିଆଯିବା ସହିତ ଦୁଇଟି ସବ୍ସେଣ୍ଟର ଖୋଲିବା ପାଇଁ ଆକ୍ସନ୍ ପ୍ଲାନ୍ରେ ଅନ୍ତର୍ଗତ କରାଯାଇଛି। ଏଥି ସହିତ ନିୟମିତ ମୋବାଇଲ୍ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।
ସୂଚନାଯୋଗ୍ୟ ଯେ ଆନ୍ତଃ ମନ୍ତ୍ରୀସ୍ତରୀୟ ବିଭାଗୀୟ କମିଟି ଏହି ପ୍ରକଳ୍ପ ପ୍ରସ୍ତାବ ଦେଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହା ଅନୁମୋଦିତ ହୋଇଥିଲା।