ରାଜ୍ୟ

କ୍ରୋମାଇଟ୍ ଖଣି ଲିଜ୍ଧାରୀଙ୍କୁ ୩୨୫୦ କୋଟିର ଡିମାଣ୍ଡ ନୋଟିସ୍

Posted on

ଭୁବନେଶ୍ୱର : ପରିବେଶ ଅନୁମତି ନଥାଇ ବେଆଇନ ଭାବେ ଖନନ କରିଥିବା କ୍ରୋମାଇଟ୍ ଖଣି ଲିଜ୍ଧାରୀଙ୍କୁ ଓଡ଼ିଶା ସରକାର ୩୨୫୦କୋଟି ଟଙ୍କାର ଡିମାଣ୍ଡ ନୋଟିସ୍ ଜାରି କରିଛନ୍ତି । ସମସ୍ତ ଖିଲାପୀ ଲିଜ୍ଧାରୀଙ୍କୁ ମେ’ ୧୦ତାରିଖ ସୁଦ୍ଧା ଜୋରିମାନା ଅର୍ଥ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟ ଖଣି ବିଭାଗର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶା ଖଣି ନିଗମ(ଓଏମସି) ସମେତ ବହୁ ଘରୋଇ ଖଣି ଲିଜ୍ଧାରୀ କମ୍ପାନୀଙ୍କୁ ଏହି ଡିମାଣ୍ଡ୍ ନୋଟିସ୍ ପଠାଯାଇଛି । ଓଡ଼ିଶା ସରକାରଙ୍କ ଉଦ୍ୟୋଗ ଓଏମ୍ସିକୁ ସର୍ବାଧିକ ପ୍ରାୟ ୧୬୦୦କୋଟି ଟଙ୍କାର ଡିମାଣ୍ଡ୍ ନୋଟିସ୍ ପଠାଯାଇଥିବାବେଳେ ବାଲେଶ୍ୱର ଆଲଏଜ୍କୁ ୩୯୦କୋଟି ଟଙ୍କା, ସରକାରୀ ଉଦ୍ୟୋଗ ଇଡ୍କଲ୍କୁ ୩୮୦କୋଟି ଟଙ୍କା, ଟାଟା ଷ୍ଟିଲ୍କୁ ୨୭୦କୋଟି ଟଙ୍କା, ଜିନ୍ଦଲ ଷ୍ଟେନ୍ଲେସ୍ ଲିଃକୁ ୧୨୦କୋଟି ଟଙ୍କା, ଫାକରକୁ ୨୦୦କୋଟି ଟଙ୍କା, ବିସି ମହାନ୍ତି ଖଣିକୁ ୧୧୮କୋଟି ଟଙ୍କା, ମିଶ୍ରିଲାଲ ମାଇନ୍ସକୁ ୩୫କୋଟି ଟଙ୍କାର ଡିମାଣ୍ଡ୍ ନୋଟିସ୍ ଜାରି ହୋଇଛି । ସେହିପରି ବିଜେଡିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପରିବାରର ମାଲିକାନାରେ ଥିବା ଇମ୍ଫା କମ୍ପାନୀକୁ ପ୍ରାୟ ୧୪୦କୋଟି ଟଙ୍କାର ଡିମାଣ୍ଡ ନୋଟିସ୍ ପଠାଯାଇଛି । ସୂଚନାଯୋଗ୍ୟ, ପରିବେଶ ଅନୁମତି ନଥାଇ କୋଇଲା ଖନନ କରିଥିବା ଯୋଗୁ ରାଜ୍ୟ ସରକାର ଗତ ମାସରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହାନଦୀ କୋଲଡ୍ ଫିଲ୍ଡ(ଏମସିଏଲ)କୁ ୮୩୦୦ କୋଟି ଟଙ୍କାର ଡିମାଣ୍ଡ୍ ନୋଟିସ୍ ପଠାଇଥିଲେ । ସୁପ୍ରିମ୍କୋର୍ଟଙ୍କ ୨୦୧୭ ଅଗଷ୍ଟ ୨ତାରିଖ ରାୟ ଆଧାରରେ ରାଜ୍ୟ ସରକାର ଆବଶ୍ୟକ ଆଇନଗତ ଅନୁମତି ନଥାଇ ଖଣି ଖନନ କରିଥିବା କମ୍ପାନୀଗୁଡ଼ିକଠାରୁ ଶତ ପ୍ରତିଶତ ଜୋରିମାନା ଆଦାୟ ପାଇଁ ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ୧୩୧ଟି ଲୁହାପଥର ଓ ମାଙ୍ଗାନିଜ ଖଣିକୁ ୧୭୫୭୬.୦୦କୋଟି ଟଙ୍କାର ଜୋରିମାନା ପୈଠ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯେଉଁଥିରୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ୧୧,୮୦୦କୋଟି ଟଙ୍କାର ଜୋରିମାନା ଆଦାୟ କରିବାରେ ସକ୍ଷମ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version