Latest

ଥାନା ଆଗରେ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଜମୁଥିବା ବେଳେ ଆଜି ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି କର୍ମୀ। ତା’ପୁଣି ପିପିଲି ଥାନା ସମ୍ମୁଖରେ।
ବିଜେପି କର୍ମୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଦଳୀୟ କର୍ମୀମାନେ ଥାନା ଘେରାଉ କରିବାକୁ ଯାଉଥିବା ବେଳେ ବିଜେଡି କର୍ମୀମାନେ ବିରୋଧ କରିଥିଲେ। ଫଳରେ ଥାନା ସମ୍ମୁଖରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ତେବେ ୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଧରିବା ନେଇ ଅତିରିକ୍ତ ଏସ୍‌ପି ପ୍ରତିଶ୍ରୁତି ଦେବା ପରେ ବିଜେପି କର୍ମୀମାନେ ଥାନା ସମ୍ମୁଖରୁ ହଟିଥିଲେ।

ପୂରା ଘଟଣାଟି ଏମିତି। ଆଜି ସକାଳେ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ରାଇଗିରିପୁର ଗାଁରେ ପ୍ରଚାର କରୁଥିଲେ। ସେ ଏକ ଶୋଭାଯାତ୍ରାରେ ଯାଉଥିବା ବେଳେ ତାଙ୍କ କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହାର ପ୍ରତିବାଦ କରିଥିଲେ ଆଶ୍ରିତ।

ଆକ୍ରମଣକାରୀଙ୍କ ଗିରଫ ଦାବିରେ ଆଶ୍ରିତ ଓ ତାଙ୍କ ସମର୍ଥକମାନେ ଗାଁ ଦାଣ୍ଡରେ ଧାରଣାରେ ବସିଥିଲେ। ପରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ଧାରଣାରେ ସାମିଲ ହୋଇଥିଲେ। ଦୀର୍ଘ ୩ରୁ ୪ ଘଣ୍ଟା ପରେ ପିପିଲି ଆଇଆଇସି ଓ ଏସ୍‌ଡିପିଓ ଧାରଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ଆଶ୍ରିତ ଓ ତାଙ୍କ ସମର୍ଥକ ଧାରଣାରୁ ଉଠି ଥିଲେ। ହେଲେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କଲାନାହିଁ।

ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନକରିବାରୁ ଆଶ୍ରିତ ଓ ତାଙ୍କ ସମର୍ଥକମାନେ ପିପିଲି ଥାନା ଆଗରେ ଧାରଣାରେ ବସିଥିଲେ। ଧାରଣାରେ କିଛି ସମୟ ବସିବା ପରେ ସେମାନେ ଥାନା ଘେରାଉ କରିବାକୁ ଯାଉଥିଲେ। ଏହି ସମୟରେ ବିଜେଡି କର୍ମୀମାନେ ହାତରେ ଦଳୀୟ ପତାକା ଧରି ଥାନା ସମ୍ମୁଖରେ ପହଞ୍ଚି ହୋ-ହଲ୍ଲା କରିଥିଲେ। ନବୀନ ପଟ୍ଟନାୟକ ଜିନ୍ଦାବାଦ ଓ ବିଜେଡି ଜିନ୍ଦାବାଦ ନାରା ଦେଇଥିଲେ। ଏହା ପରେ ବିଜେପି ଓ ବିଜେଡି କର୍ମୀମାନେ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଠେଲାପେଲା ହୋଇଥିଲା। ଫଳରେ ମଝିରେ ଫସି ଯାଇଥିଲା ପୁଲିସ। ସ୍ଥିତିକୁ ଶାନ୍ତ କରିବା ପାଇଁ ପୁଲିସ ଉଭୟ ପକ୍ଷଙ୍କୁ ବୁଝାଇ ପ୍ରଥମେ ଥାନା କ୍ୟାମ୍ପସରୁ ବାହାରକୁ କାଢ଼ି ଥିଲା।

ପରେ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଅତିରିକ୍ତ ଏସ୍‌ପି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ବିଜେପି କର୍ମୀ ଥାନା ସମ୍ମୁଖରୁ ହଟିଥିଲେ। ଏବେ ସେଠାରେ ସ୍ଥିତି ଶାନ୍ତ ପଡ଼ିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version