ରାଜ୍ୟ

ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ବସିବ ସ୍ୱତନ୍ତ୍ର ପଲ୍ଲୀସଭା

Posted on

ଭୁବନେଶ୍ୱର : ଦିବ୍ୟାଙ୍ଗଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏଣିକି ପଞ୍ଚାୟତସ୍ତରରେ ସ୍ୱତନ୍ତ୍ର ପଲ୍ଲୀସଭା/ଗ୍ରାମସଭା ଅନୁଷ୍ଠିତ ହେବ । ଭୂମିହୀନ ଦିବ୍ୟାଙ୍ଗଙ୍କୁ ଜମି ଆବଣ୍ଟନ, ବିଜୁ ପକ୍କାଘର ଯୋଜନାରେ ଗୃହ ପ୍ରଦାନ, ମନରେଗାରେ କାମ ଚାହୁଁଥିବା ଦିବ୍ୟାଙ୍ଗଙ୍କ ପାଇଁ ପ୍ରତିମାସରେ ଜନସେବା ଦିବସ, ଦିବ୍ୟାଙ୍ଗଙ୍କ ଯାତାୟତ ସୁବିଧା ନଥିଲେ ସରକାରୀ କୋଠା, ସ୍କୁଲ ଓ ସାର୍ବଜନୀନ କୋଠା ନିର୍ମାଣର ପ୍ଲାନ୍କୁ ଅନୁମୋଦନ ନଦେବା, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ପ୍ରଦାନ ଆଦି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାଜ୍ୟ ସରକାର ଗ୍ରହଣ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ବିକାଶମୂଳକ ଯୋଜନାରେ ୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିବା ପରେ ଏବେ ଏହାର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଛନ୍ତି । ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଆବାସିକ ଯୋଜନାରେ ଦିବ୍ୟାଙ୍ଗଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ ରହିଥିଲେ ମଧ୍ୟ ସଚେତନତା ଅଭାବରୁ ତାହା କାର୍ଯ୍ୟକାରୀ ହୋଇପାରୁନି । ଏହାକୁ ଦୃଷ୍ଟିରେ ରଖି ପଞ୍ଚାୟତସ୍ତରରେ ସ୍ୱତନ୍ତ୍ର ପଲ୍ଲୀସଭା ଆୟୋଜନ କରିବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହି ପଲ୍ଲୀସଭାରେ ପ୍ରାଥମିକତାଭିତ୍ତିରେ ଦିବ୍ୟାଙ୍ଗଙ୍କୁ ବିଜୁ ପକ୍କାଘର ଯୋଗାଇ ଦିଆଯିବ । ସେହିପରି ଯେଉଁ ଦିବ୍ୟାଙ୍ଗମାନେ ମନରେଗା ଯୋଜନାରେ କାମ କରିବାକୁ ଚାହିଁବେ ସେମାନଙ୍କ ପାଇଁ ପ୍ରତିମାସର ୧୫ତାରିଖରେ ‘ଜନସେବା ଦିବସ’ ପଞ୍ଚାୟତସ୍ତରରେ ପାଳନ କରାଯିବ । ଏହି ଦିନ ସେମାନଙ୍କୁ ମନରେଗା ଫର୍ମ ବଣ୍ଟନ କରାଯାଇ ସେମାନଙ୍କ ଚାହିଦା ମୁତାବକ କାର୍ଯ୍ୟ ପଞ୍ଚାୟତ ଯୋଗାଇବ । ଭୂମିହୀନ ଦିବ୍ୟାଙ୍ଗଙ୍କ ତାଲିକାକୁ ପଞ୍ଚାୟତୱାରି ପ୍ରସ୍ତୁତ କରି ପ୍ରାଥମିକତା ଭିତ୍ତିରେ ସେମାନଙ୍କୁ ଜମି ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଶ୍ରବଣ ଶକ୍ତି ନଥିବା ୫ବର୍ଷ ବୟସ ପର୍ଯ୍ୟନ୍ତ ଦିବ୍ୟାଙ୍ଗ ଶିଶୁଙ୍କ ଅସ୍ତ୍ରୋପଚାର ପାଇଁ କେନ୍ଦ୍ର ସରକାର ୬.୫୦ଲକ୍ଷ ଟଙ୍କା ଯୋଗାଇ ଦେଉଛନ୍ତି । ଏହି ଅସ୍ତ୍ରୋପଚାର ଦ୍ୱାରା ସ୍ଥାୟୀ ଭାବେ ଜଣେ ଶିଶୁ ନିଜର ଶ୍ରବଣ ଶକ୍ତି ଫେରିପାଇ ପାରିବ । ସ୍ୱାସ୍ଥ୍ୟ ବିଭାଗକୁ ଏଭଳି ଅସ୍ତ୍ରୋପଚାର ବ୍ୟାପକ ଭାବେ ହାତକୁ ନେବାକୁ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ସହାୟତା ପରେ ଯଦି ଅଧିକ ପାଣ୍ଠି ଆବଶ୍ୟକ ପଡ଼େ, ତା’ହେଲେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ତାକୁ ଭରଣା କରିବେ ବୋଲି ଶ୍ରୀ ବାଲ୍କ୍ରିଷ୍ଣନ୍ କହିଛନ୍ତି । ସେହିପରି ଦିବ୍ୟାଙ୍ଗ ସାର୍ଟିଫିକେଟ୍ ପାଇବାକୁ ଯେଭଳି କୌଣସି ଦିବ୍ୟାଙ୍ଗ ବଞ୍ôଚତ ନହେବେ ତାକୁ ସୁନିଶ୍ଚିତ କରିବା ଓ ନିର୍ଦ୍ଧାରିତ ଅବଧି ମଧ୍ୟରେ ତାହା ପ୍ରଦାନ ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version