ରାଜ୍ୟ
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୨ % ମତଦାନ,୧୪ କର୍ମଚାରୀ ନିଲମ୍ବିତ
ଭୁବନେଶ୍ୱର(ଓଡ଼ିଶା ୱେୟାର):ଗତକାଲି ରାଜ୍ୟରେ ଶେଷ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୯୩ ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରେ ରେକର୍ଡ ପରିମାଣର ୭୭.୫୭ ପ୍ରତିଶତ ମତଦାନ ହୋଇଥିବାବେଳେ ବଲାଙ୍ଗୀରରେ ୭୨.୪୨ ପ୍ରତିଶତ ମତଦାନ ହୋଇଛି । କନ୍ଧମାଳ ଓ ସୁନ୍ଦରଗଡ଼ ଲୋକସଭା ଆସନରେ ଯଥାକ୍ରମେ ୭୨.୮୮ % ଓ ୭୧.୪୪ପ୍ରତିଶତ ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି । ଆସିକା ଲୋକସଭା ଆସନରେ ସବୁଠୁ କମ୍ ୬୬.୩୦ % ଭୋଟ୍ ପଡ଼ିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଗୁରୁବାର ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ସମୟରେ ନିର୍ବାଚନ କାର୍ଯ୍ୟରେ ଗୁରୁତର ଅବହେଳା କରିଥିବା କାରଣରୁ ମୋଟ ୧୪ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ଏହା ସହିତ ମୋଟ ୮ଟି ବୁଥରେ ସାନି ମତଦାନ ପାଇଁ ଜାତୀୟ ନିର୍ବାଚନ କମିଶନଙ୍କୁ ସୁପାରିସ୍ କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏନେଇ ସୂଚନା ଦିଆଯାଇଛି ।
ଯେଉଁ ସରକାରୀ କର୍ମଚାରୀମାନଙ୍କୁ ଦାୟିତ୍ୱରେ ଅବହେଳା ଓ ତ୍ରୁଟି ପାଇଁ ନିଲମ୍ବନ କରାଯାଇଛି ସେମାନଙ୍କ ମଧ୍ୟରେ ୭ଜଣ ପ୍ରିଜାଇଡିଂ ଅଫିସର ଓ ୭ଜଣ ସେକ୍ଟର ଅଫିସର ରହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୭ଟି ବୁ୍ଥ ସହିତ ମତଦାନ ମୁଲତବୀ ହୋଇଥିବା ସୋରଡ଼ା ବିଧାନସଭା ଆସନର ଗୋଟିଏ ବୁଥରେ ମଧ୍ୟ ସାନି ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କୁ ସୁପାରିସ୍ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ମୋଟ ୭୨.୫୬ ଭୋଟର ମତଦାନ କରିଥିବାବେଳେ ସେମାନଙ୍କ ମଧ୍ୟରେ ୭୩.୭୫% ମହିଳା ଓ ୭୧.୪୪ ପ୍ରତିଶତ ପୁରୁଷ ଭୋଟର ଅଛନ୍ତି ।