Latest

ଧାନ ବିକ୍ରି କରିପାରୁନି ଚାଷୀ: ମନ୍ତ୍ରୀ ମାନିଲେ ବିଫଳତା, କହିଲେ ଯାଂଚ ଚାଲିଛି ଟୋକନ୍

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ଚାଷୀ ନିଜର ଧାନକୁ ମଣ୍ଡିରେ ବିକ୍ରି କରିପାରୁନି । ବିରୋଧୀ ଦଳଠୁ ଆରମ୍ଭ କରି ଶାସକ ଦଳ ପର୍ଯ୍ୟନ୍ତ ସମସ୍ତେ ଚାଷୀ ସମସ୍ୟା ସମ୍ପର୍କରେ ସ୍ୱର ଉଠାଉଥିବାବେଳେ ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାନସଭାରେ ଆଜି ଟୋକନ୍ ବୈଧତା ସରିଯାଇଥିବା ଯୋଗୁ ଚାଷୀ ଧାନ ବିକ୍ରି କରିପାରିନି ଓ ଏସବୁ ଯାଂଚ ଚାଲିଛି ବୋଲି ସ୍ୱୀକାର କରିଛନ୍ତି । ମୟୂରଭଞ୍ଜ, ନୂଆପଡ଼ା, ଦେବଗଡ଼, ବଲାଙ୍ଗିର, ନବରଙ୍ଗପୁର, ଗଜପତି, ଭଦ୍ରକ ଆଦି ଜିଲ୍ଲାରେ ଚାଷୀମାନେ ଧାନ ବିକ୍ରି କରିବାରେ ସମସ୍ୟା ହୋଇଥିବା ନେଇ ପରୋକ୍ଷରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସ୍ୱୀକାର କରିଥିବାବେଳେ ଯୋଗ୍ୟ ଚାଷୀ ଧାନ ବିକ୍ରି କରିବାରେ ବଂଚିତ ହୋଇଥିଲେ, ବିଧାୟକମାନେ ଯଦି ତାଙ୍କ ଦୃଷ୍ଟିକୁ ଆଣିବେ ବା ତାଲିକା ଦେବେ ସେମାନଙ୍କର ଧାନ କିଣାଯିବ ବୋଲି ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୃହକୁ ଆଶ୍ୱସ୍ତ କରିଛନ୍ତି । ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ହୋଇ ବିରୋଧୀ ସଦସ୍ୟମାନେ ଗୃହରେ ନାରାବାଜି କରିଥିଲେ ।
ମଣ୍ଡିରେ ଚାଷୀ ଧାନ ବିକ୍ରି କରିପାରୁନଥିବା ଓ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ପ୍ରସଙ୍ଗକୁ ନେଇ ଆଜି ଗୃହରେ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗୃହରେ ଅଚଳାବସ୍ଥା ହେବାରୁ ବାଚସ୍ପତି ଏହି ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀଙ୍କୁ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ, ଏପର୍ଯ୍ୟନ୍ତ ମୋଟ ୬୦.୪୦ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ଗତ ଖରିଫ ଋତୁର ଏହି ଅବଧି ସୁଦ୍ଧା ତାହା ୫୦.୮୭ଲକ୍ଷ ମେଟ୍ରିକ ଟନ୍ ଥିଲା । ଧାନ କ୍ରୟର ହାର ଗତବର୍ଷ ତୁଳନାରେ ୧୯% ଅଧିକ ରହିଛି । ଗତବର୍ଷ ଖରିଫ ଋତୁରେ ମୋଟ ୫୩.୩୧ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଥିଲା । ଗତବର୍ଷ ମୋଟ ୯.୧୭ଲକ୍ଷ ଚାଷୀ ଧାନ ବିକ୍ରି କରିଥିବାବେଳେ ଚଳିତବର୍ଷ ଏବେସୁଦ୍ଧା ୧୧.୨୫ଲକ୍ଷ ଚାଷୀ ଧାନ ବିକ୍ରି ସାରିଲେଣି । ଫେବୃୟାରୀ ୨୬ରେ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଧାନ ବିକ୍ରି ପ୍ରସଙ୍ଗରେ ବିବୃତ୍ତି ରଖିବା ପରେ ୭୨ହଜାର ଅଧିକ ଚାଷୀଙ୍କଠୁ ୨.୭୩ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ଏହାସହିତ ଭୂତ ଚାଷୀ ଓ ବେପାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଚାଷୀମାନେ ଟୋକନ ବୈଧତା ହରାଇଥିବା ନେଇ ଜିଲ୍ଲାପାଳମାନେ ତଦନ୍ତ କରୁଥିବା କହିଛନ୍ତି । ବଲାଙ୍ଗିର ଜିଲ୍ଲାରେ ଟୋକେନ ଅବଧି ସରିବା ଯୋଗୁ ୧୫୦ଜଣ ଚାଷୀ ଧାନ ବିକ୍ରି ନଥିବା ଓ ୪୦୦ଜଣ ଭୂତ ଚାଷୀଙ୍କ ବାବଦରେ ତଦନ୍ତ ଚାଲିଥିବାବେଳେ ଦେବଗଡ଼ ଜିଲ୍ଲାରେ ୨୯୦୦ ଚାଷୀ ଟୋକେନ୍ ବୈଧତା ହରାଇଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ୫ହଜାର ଚାଷୀଙ୍କ ଟୋକେନ ବୈଧତା ସରିଛି । ନବରଙ୍ଗପୁରରେ ୨୦୦ଜଣ ଚାଷୀଙ୍କର ଓ ନୂଆପଡ଼ା ଜିଲ୍ଲାର ଚାଷୀଙ୍କ ଅଭିଯୋଗ ଉପରେ ଜିଲ୍ଲାପାଳମାନେ ତଦନ୍ତ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ୯୨ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି । ତେବେ ଏତେ ସବୁ ଜିଲ୍ଲାରେ ଟୋକେନ ବୈଧତା ନଥିବାରୁ ତଦନ୍ତ ଚାଲିଛି ବୋଲି ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିଜେ ସ୍ୱୀକାର କରୁଥିବାବେଳେ ନୂଆପଡ଼ା ଜିଲ୍ଲାର ପ୍ରାୟ ୫ହଜାର ଚାଷୀଙ୍କ ଟୋକନ ଅକାମୀ ହୋଇଥିବାରୁ ସେମାନଙ୍କୁ ଧାନ ବିକ୍ରି କରିବାକୁ ପୁଣିଥରେ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ଗତ ୧୦ତାରିଖରେ ସଭାମଂଚରୁ ଦାବି ଉପସ୍ଥାପନ କରିଥିଲେ ।
ଏପଟେ ଧାନ ବିକ୍ରି ପାଇଁ ଚାଷୀଙ୍କୁ ବିଭିନ୍ନ ପ୍ରକାରର ଦସ୍ତାବିଜ ଦେଇ ପଞ୍ଜିକୃତ ହେଉଥିବାବେଳେ ପରବର୍ତ୍ତୀ ସମୟରେ ଟୋକେନ ପାଇବାବେଳେ ସେମାନେ କିଭଳି ଭୂତ ହେଉଛନ୍ତି, ତାହା ଚର୍ଚ୍ଚାର ବିଷୟ ହୋଇଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version