ଚଳିତ ଖରିଫ ଋତୁ ପାଇଁ ନଭେମ୍ବର ୨୧ ତାରିଖରୁ ଧାନ କିଣା ଆରମ୍ଭ ହେବାକୁ ଯାଉଛି। ଧାନ କିଣା ନେଇ ଆଜି ହୋଇଥିବା ମନ୍ତ୍ରୀସ୍ତରୀୟ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ବ ମନ୍ତ୍ରୀ କହିଛନ୍ତି ମନ୍ତ୍ରୀସ୍ତରୀୟ ବୈଠକ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା । ଚଳିତ ବର୍ଷ ୮୦ ଲକ୍ଷ ଟନ ଧାନ କିଣିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ଚାଷୀଙ୍କଠୁ ସରକାର ଧାନ କିଣିବେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୨୩୦୦ ଟଙ୍କା ସହିତ ରାଜ୍ୟ ସରକାରଙ୍କ ତରଫରୁ ଇନ୍ପୁଟ ସହାୟତା ୮୦୦ ଟଙ୍କା ମିଳିବ ।
ଧାନ କ୍ରୟ ପରେ ୪୮ ଘଣ୍ଟା ଭିତରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତରଣ କରାଯିବ। ଚଳିତ ନଭେମ୍ବର ୨୦୨୪ରୁ ମାର୍ଚ୍ଚ ୨୦୨୫ ମଧ୍ୟରେ ଖରିଫ୍ ଧାନ ସଂଗ୍ରହ ହେବ।ଏହାସହ ୪-୫ଟି ମଣ୍ଡିକୁ ନେଇ ଜଣେ ସୁପରଭାଇଜର ରହିବେ ବୋଲି ସୂଚନା ମିଳିଛି। ମଣ୍ଡିରେ ରହିବ କ୍ୱାଲିଟି ଟେଷ୍ଟିଙ୍ଗ ମେସିନ। ଅଗାଡି ଏଫକ୍ୟୁ ଧାନକୁ ଯାଞ୍ଚ କରାଯିବ। ମଣ୍ଡିରୁ ରାଇସ ମିଲ ପର୍ଯ୍ୟନ୍ତ ଧାନ ପରିବହନ ବ୍ୟବସ୍ଥା ତଦାରଖ କରିବ ପରିବହନ ବିଭାଗ । ସେପଟେ ପଡୋଶୀ ରାଜ୍ୟରୁ ଧାନ ଯେମିତି ଓଡ଼ିଶା ମଧ୍ୟକୁ ପ୍ରବେଶ ନକରେ ତା ପାଇଁ ପେଟ୍ରୋଲିଂ ଟିମ୍ ମୁତୟନ ସହ ସିସିଟିଭି ବ୍ୟବସ୍ତା କରାଯିବ।