Latest
ନିଜ ନିର୍ବାଚନମଣ୍ଡଳୀକୁ ଖୁବଶୀଘ୍ର ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ୱେୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ କେତେକ ପ୍ରକଳ୍ପ ଉଦଘାଟନ କରିବା ସହ ଖୁବଶୀଘ୍ର ହିଞ୍ଜିଳି ଯିବେ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହେଲା ନିଜ ନିର୍ବାଚନମଣ୍ଡଳୀକୁ ଯାଇନାହାନ୍ତି । ମୁଖ୍ୟମନ୍ତ୍ରୀ ଆଜି ନିଜ ନିର୍ବାଚନମଣ୍ଡଳୀର ହିଞ୍ଜିଳି ପୌର ପରିଷଦ ଅଂଚଳରେ ୨୮କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ ଉଦଘାଟନ କରିିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ କହିଛନ୍ତି ଯେ, ହିଞ୍ଜିଳିକୁ ଶିକ୍ଷା କ୍ଷେତ୍ରରେ ଏକ ଆଗୁଆ ଅଂଚଳ ଭାବେ ବିକଶିତ କରିବା ତାଙ୍କର ଲକ୍ଷ୍ୟ । କୋଭିଡ୍ ମହାମାରୀ ଯୋଗୁ ସେ ବହୁତ ଦିନ ହେଲା ହିଞ୍ଜିଳି ଯାଇପାରିନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏବେ ପରିସ୍ଥିତିରେ ଉନ୍ନତି ଆସିଥିବାରୁ ସେ ଖୁବଶୀଘ୍ର ହିଞ୍ଜିଳି ଗସ୍ତ କରି ସାଧାରଣ ଲୋକଙ୍କୁ ଭେଟିବେ ବୋଲି କହିଛନ୍ତି । ହିଞ୍ଜିଳିର ଜନସାଧାରଣଙ୍କ ସୁଖଦୁଃଖ, ସବୁଥିରେ ସେମାନଙ୍କ ସହ ସେ ରହିଛନ୍ତି ଓ ଆଗକୁ ମଧ୍ୟ ରହିଥିବେ । କରୋନା ମହାମାରୀ ସହ ଗଞ୍ଜାମ ଯେପରି ଲଢ଼ିଲା ତାକୁ ସାରା ବିଶ୍ୱ ଦେଖିଛି । ଗଞ୍ଜାମର ସଫଳତା ସାରା ବିଶ୍ୱରେ ପ୍ରଂଶସା ପାଇଛି । ସେଥିପାଇଁ ପଂଚାୟତ ପ୍ରତିନିଧି, ମିଶନ ଶକ୍ତି ସଦସ୍ୟା ଓ କୋଭିଡ୍ ଯୋଦ୍ଧାମାନଙ୍କୁ ଧନ୍ୟବାଦ ଦେଇଥିଲେ । କୋଭିଡ୍ ଟୀକାକରଣ ଆରମ୍ଭ ହୋଇଥିଲେ ମଧ୍ୟ ବିପଦ ପୁରା ଦୂର ହୋଇନଥିବାରୁ ସାବଧାନ ରହିବା ନିମନ୍ତେ ପରାମର୍ଶ ଦେଇଛନ୍ତି । ହିଞ୍ଜିଳି ସହରର ବିକାଶ ପାଇଁ ୨୮କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଗଲା । ଆଧୁନିକ ସହରଗୁଡ଼ିକରେ ମିଳୁଥିବା ବିଭିନ୍ନ ସୁବିଧା ହିଞ୍ଜିଳିବାସୀ ଯେପରି ପାଇବେ ସେଥିପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି । ରାଜ୍ୟର ଛୋଟ ଛୋଟ ସହରର ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି । ହିଞ୍ଜିଳି ନିର୍ବାଚନମଣ୍ଡଳୀ ଅଂଚଳର ବିକାଶ ଉପରେ ସେ ନଜର ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ପରିଚାଳନା କରିଥିବାବେଳେ ଆସିକା ସାଂସଦ ପ୍ରମିଳା ବିଶୋୟୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ମୁଖ୍ୟ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ ।