Latest
‘ନୂଆପଡ଼ାର ୨୭ବର୍ଷୀୟ ଯୁବକଙ୍କ ମୃତ୍ୟୁ କୋଭିଡ୍ ଟୀକାଜନିତ ନୁହେଁ ’
ଭୁବନେଶ୍ୱର(ଓଡ଼ିଶା ୱେୟାର): ଆସନ୍ତା ୨୮ତାରିଖରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ଟୀକାକରଣ ଆରମ୍ଭ ହେବାକୁ ଥିବାବେଳେ ନୂଆପଡ଼ାର ୨୭ବର୍ଷୀୟ ଯୁବକଙ୍କ ମୃତ୍ୟୁର କାରଣ କୋଭିଡ ଟୀକାଜନିତ ନୁହେଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲାର ଜଣେ ୨୭ବର୍ଷୀୟ ଯୁବକଙ୍କର ଆଜି ସକାଳେ ବୁର୍ଲାସ୍ଥିତ ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତ୍ୟୁ ହୋଇଛି । ସେ ଗୁରୁତର ଭାବେ ରକ୍ତହୀନତାର ଶିକାର ଥିବା ସହ ତାଙ୍କର ମସ୍ତିଷ୍କରେ ମାତ୍ରାଧିକ ରକ୍ତ ବୋହିଥିବାରୁ ମସ୍ତିଷ୍କଘାତ ହୋଇଥିବା ପ୍ରାଥମିକ ପରୀକ୍ଷାନିରୀକ୍ଷା ପରେ ଜଣାପଡ଼ିଛି । ସେ ଜାନୁୟାରୀ ୨୩ତାରିଖରେ କୋଭିଡ୍ ଟୀକା ନେଇଥିଲେ । ତେବେ ଡାକ୍ତରୀ ଯାଂଚ ପରେ ତାଙ୍କର ମୃତ୍ୟୁର କାରଣ କୋଭିଡଜନିତ ଟୀକା ନୁହେଁ ବୋଲି ଜଣାପଡ଼ିଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।
ସେହିପରି ନୂଆପଡ଼ା ଓ ଝାରସୁଗୁଡ଼ା ଜିଲ୍ଲାରୁ ମଧ୍ୟ କୋଭିଡ୍ ଟୀକା ନେଇଥିବା ଦୁଇଜଣ ବ୍ୟକ୍ତିଙ୍କର ସାମାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିବାର ସୂଚନା ମିଳିଥିଲା । ଉଭୟ ଏବେ ସୁସ୍ଥ ଅଛନ୍ତି । ଗତ ୨୩ତାରିଖରେ ନୂଆପଡ଼ାର ଜଣେ ୨୪ବର୍ଷୀୟା ମହିଳା କୋଭିଡ୍ ଟୀକା ନେଇଥିବାବେଳେ ୧୮ତାରିଖରେ ଝାରସୁଗୁଡ଼ା ଜିଲ୍ଲାର ଜଣେ ୨୩ବର୍ଷୀୟ ଯୁବକ ଟୀକା ନେଇଥିଲେ । ସେମାନଙ୍କର ଆଜି ସାମାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା, କିନ୍ତୁ ଏବେ ଉଭୟ ସୁସ୍ଥ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ସମସ୍ତ ଜିଲ୍ଲା ଇତିମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ନିଜର ଆକ୍ସନ ପ୍ଲାନ୍ ପ୍ରଦାନ କରିଛନ୍ତି । ଜାନୁୟାରୀ ୨୮ରୁ ଫେବୃୟାରୀ ୧୦ତାରିଖ ପର୍ଯ୍ୟନ୍ତ ଏହି ଟୀକାକରଣ କାର୍ଯ୍ୟ ହେବ ।