ରାଜନୀତି
ପଦ୍ମ ଧରିବେ ପ୍ରକାଶ ମିଶ୍ର, ନିର୍ବାଚନ ମଇଦାନକୁ ଓହ୍ଳାଇବେ
ଭୁବନେଶ୍ୱର(ଓଡ଼ିଶା ୱେୟାର) :ପୂର୍ବତନ ପୋଲିସ ଡିଜି ତଥା ପୂର୍ବତନ ସିଆରପିଏଫ ଡିଜି ପ୍ରକାଶ ମିଶ୍ର ଆଜି ବିଜେପିରେ ମିସିବାର କାର୍ଯ୍ୟକ୍ରମ ରହିଛି | ତାଙ୍କୁ ଦଳ ଏ ନିର୍ବାଚନରେ କଟକ ଲୋକସଭା ଆସନରୁ ପ୍ରାଥୀ କରିବ | ଏନେଇ ଦଳ ପକ୍ଷରୁ ଆଲୋଚନା ହୋଇସାରିଛି | କିନ୍ତୁ ପୂର୍ବରୁ କଟକ ଲୋକସଭା ଆସନରୁ ଦଳର ନେତା ଓକିଲ ପିତାମ୍ବର ଆଚାର୍ଯ୍ୟଙ୍କୁ ପ୍ରାଥୀ କରିବ ବୋଲି ସ୍ଥିର କରିଥିଲା | ଶ୍ରୀ ମିଶ୍ର ରାଜନୀତିକୁ ଆସିବେ ନାହିଁ ବୋଲି ଆଗରୁ କହୁଥିଲେ | ସେ ଏବେ ରାଜି ହେବାପରେ ବିଜେପି ତାର ନିଷ୍ପତ୍ତି ପରିବର୍ତନ କରିଛି | ପୀତାମ୍ବରଙ୍କୁ ଶନିବାର ଦଳର ରାଜ୍ୟ ଉପସଭାପତି କରାଯାଇଛି | ଦଳର ଏ ନିଷ୍ପତ୍ତିକୁ ପିତାମ୍ବର ଗ୍ରହଣ କରିଛନ୍ତି |
ଶ୍ରୀ ମିଶ୍ର ସରକାରୀ ଚାକିରିରୁ ଅବସର ନେବା ପରଠାରୁ ରାଜନୈତିକ ମହଲରୁ ଆରମ୍ଭ କରି ବିଭିନ୍ନସ୍ତରରେ ଚର୍ଚ୍ଚା ହେଉଥିଲା ସେ ବିଜେପିରେ ସାମିଲ ହେବେ । ରାଜନୀତି ମଇଦାନକୁ ଓହ୍ଲାଇ ବିଜେଡିଠାରୁ ପ୍ରତିଶୋଧ ନେବାପାଇଁ ଉଦ୍ୟମ କରିବେ । କାରଣ ଓଡ଼ିଶାରେ ପୁଲିସ ଡିଜି ଭାବେ କାର୍ଯ୍ୟ କରିବା ସମୟରେ ରାଜ୍ୟ ସରକାର ତାଙ୍କୁ ଯେଉଁଭଳି ଭାବରେ ଅପମାନିତ ଓ ଲାଞ୍ଝିତ କରିଥିଲେ ତାହାକୁ ସେ କେବେ ଭୁଲିପାରିବେ ନାହିଁ ବୋଲି କୁହାଗଲା । ଭିଜିଲାନ୍ସ ମାମଲାରେ ଛନ୍ଦି ତାଙ୍କୁ ବାନ୍ଧିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଫେଲ ମାରିଥିଲେ ମଧ୍ୟ ସେ ସିବିଆଇର ନିର୍ଦ୍ଦେଶକ ହେବା ନେଇ ଯେଉଁ ସମ୍ଭାବନା ଥିଲା ସେ ବାଟକୁ ବନ୍ଦ କରିବାରେ ସମର୍ଥ ହୋଇଥିଲେ । କେନ୍ଦ୍ର ସରକାର ତାଙ୍କୁ ନେଇ ସିଆରପିଏଫର ଡିଜି କରିଥିଲେ ଓ ପରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ଦେଇଥିଲେ । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ରହିଛି । କିନ୍ତୁ ଏହି ଆଲୋଚନାକୁ ଶ୍ରୀ ମିଶ୍ର ସବୁବେଳେ ଅସ୍ୱୀକାର କରି ଆସିଥିଲେ । ରାଜନୀତିକୁ ଯିବାର ତାଙ୍କର ନାହିଁ ବୋଲି କହିଥିଲେ । ଏପରି କି ତାଙ୍କ ସହ ମଧ୍ୟ କେହି ଯୋଗାଯୋଗ କରି ନ ଥିବା କଥା କହିଥିଲେ । ଏବେ ଯେତେବେଳେ ତାଙ୍କର ରାଜନୀତି କରିବାର ଚର୍ଚ୍ଚା ସାଧାରଣରେ ଥମିଗଲା ହଠାତ ସେ ରାଜନୀତି କରିବାକୁ ଆସିଥିଲେ । ବିଜେପି ତାଙ୍କୁ ମନାଇବାରେ ସଫଳ ହୋଇଥିବା କୁହାଯାଉଛି ।