ରାଜନୀତି

ପୁଣି ରାଜ୍ୟ ବିଜେପି ମଙ୍ଗ ଧରିପାରନ୍ତି ବସନ୍ତ ପଣ୍ଡା!

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ବିଜେପିର ପରବର୍ତ୍ତୀ ସଭାପତି କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି। ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ସ୍ଥାନରେ ଦଳର କିଛି ବରିଷ୍ଠ ନେତା ଏହି ପଦବୀ ପାଇଁ ଦାବିଦାର ଥିବାବେଳେ ଚଳିତଥର ପୁଣିଥରେ ପଶ୍ଚିମ ଓଡ଼ିଶାରୁ କୌଣସି ନେତାଙ୍କୁ ରାଜ୍ୟ ସଭାପତି ପଦରେ ଥଇଥାନ କରାଯିବ ବୋଲି ଚର୍ଚ୍ଚା ହେଉଛି।
ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ବିଜେପି ସଭାପତି ଶ୍ରୀ ପଣ୍ଡାଙ୍କ କାର୍ଯ୍ୟକାଳ ୨୦୧୯ ଜାନୁୟାରୀ ମାସରୁ ଶେଷ ହୋଇଛି କିନ୍ତୁ ସାଧାରଣ ନିର୍ବାଚନ ଯୋଗୁ ତାଙ୍କର କାର୍ଯ୍ୟକାଳ ୬ମାସ ପାଇଁ ବୃଦ୍ଧି ହୋଇଥିଲା । ଯାହାକି ଜୁଲାଇ ମାସରେ ଶେଷ ହେଉଛି। ସେପଟେ ଦଳର ଜାତୀୟ ସଭାପତି ଅମିତ୍ ଶାହଙ୍କ ସ୍ଥାନରେ ଅନ୍ୟ କୌଣସି ବରିଷ୍ଠ ନେତାଙ୍କୁ ବିଜେପିର ନେତୃତ୍ୱ ନେବା ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ଜାତୀୟ ସଭାପତି ଓ ତାଙ୍କ ଟିମ୍ ଚୟନ କାର୍ଯ୍ୟ ସରିବା ପରେ ହିଁ ରାଜ୍ୟରେ ବିଜେପି ସଭାପତି ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେବ। ବିଜେପିର ସଂସଦୀୟ ଦଳ ହିଁ ରାଜ୍ୟରେ ପରବର୍ତ୍ତୀ ସଭାପତି କିଏ ହେବ ତାହା ଚୂଡ଼ାନ୍ତ କରିବ ଓ ଯାହାକୁ କି ଆନୁଷ୍ଠାନିକ ଭାବେ ରାଜ୍ୟ ନେତାମାନେ ସମ୍ମତି ଜଣାଇବେ।
ବିଜେପିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ, ବିଜେପି ସଭାପତି ଶ୍ରୀ ପଣ୍ଡାଙ୍କ ନେତୃତ୍ୱରେ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ରାଜ୍ୟରେ ଭଲ ପ୍ରଦର୍ଶନ କରିଛି । କଂଗ୍ରେସକୁ ପଛରେ ପକାଇ ବିଜେପି ପ୍ରମୁଖ ବିରୋଧୀ ଦଳ ପାଲଟିଛି। ତେଣୁ ବସନ୍ତ ପଣ୍ଡାଙ୍କୁ ପୁଣିଥରେ ଦଳର ରାଜ୍ୟ ସଭାପତି ଭାବେ ରିପିଟ୍ କରାଯିବାର ସମ୍ଭାବନା ରହିଛି। ଅବଶ୍ୟ ଏହି ପଦ ପାଇଁ ଏବେ ଦଳର ଆଗଧାଡ଼ିର ନେତା ସମୀର ମହାନ୍ତି ଓ ଭୃଗୁ ବକ୍ସିପାତ୍ରଙ୍କ ସମେତ ପୂର୍ବତନ ବିଧାୟକ କେଭି ସିଂହଦେଓ, ପ୍ରଦୀପ ପୁରୋହିତ, ରବି ନାଏକ ପ୍ରମୁଖ ଦାବିଦାର ଅଛନ୍ତି । ବରିଷ୍ଠ ନେତା ସୁରେଶ ପୂଜାରୀ ଓ ଜୁଏଲ ଓରାମ ମଧ୍ୟ ଏହି ରେସରେ ଅଛନ୍ତି । କେଭି ସିଂହଦେଓ ଏବେ ପରାଜିତ ହୋଇଥିବାରୁ ଦଳ ତାଙ୍କୁ ଏହି ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଦଳର ରାଜ୍ୟ ଚେହେରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟତର ବ୍ୟକ୍ତିଙ୍କୁ ହିଁ ଏହି ପଦବୀ ମିଳିବା ସମ୍ଭାବନା ରହିଛି । ଦଳ ଯେଉଁ ନେତାଙ୍କ ଉପରେ ବି ସୁନାକଳସ ଢ଼ାଳିବ ତାଙ୍କ ପାଇଁ ପୌର ନିର୍ବାଚନ ପ୍ରଥମ ଏସିଡ୍ ଟେଷ୍ଟ ହେବ ।

Leave a Reply

Your email address will not be published. Required fields are marked *

Most Popular

Exit mobile version