Latest
ପୁରୀ ଓ କୋଣାର୍କର ବିକାଶ ପାଇଁ କେନ୍ଦ୍ର ଦେବ ୩୨୫କୋଟି ଟଙ୍କା
ଭୁବନେଶ୍ୱର(ଓଡ଼ିଶା ୱେୟାର): ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିର ତଥା ପାଶ୍ୱର୍ବର୍ତ୍ତୀ ଅଂଚଳରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ ନିମନ୍ତେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର କରିଥିବା ବ୍ଲୁ-ପ୍ରିଣ୍ଟକୁ ସାକାର କରିବା ପାଇଁ କେନ୍ଦ୍ର ସରକାର କାର୍ଯ୍ୟ କରିବେ । ଏହି ଉଭୟ ସହରର ଭିତ୍ତିଭୂମି ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କୁ ସ୍ୱତନ୍ତ୍ର ଭାବେ ୩୨୫କୋଟି ଟଙ୍କାର ଅନୁଦାନ ମଧ୍ୟ ଦେବେ । ପଂଚଦଶ ଅର୍ଥ କମିଶନ କରିଥିବା ଏହି ସୁପାରିସକୁ ମଧ୍ୟ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ପଂଚଦଶ ଅର୍ଥ କମିଶନଙ୍କ ସୁପାରିସ ରିପୋର୍ଟ ଅନୁସାରେ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ପାଶ୍ୱର୍ବର୍ତ୍ତୀ ଅଂଚଳର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ରାଜ୍ୟ ସରକାର ସହାୟତା ଲୋଡ଼ିଛନ୍ତି । ଏବାବଦରେ ୧୭୫କୋଟି ଟଙ୍କା ଦେବା ନିମନ୍ତେ ପଂଚଦଶ ଅର୍ଥ କମିଶନ ସୁପାରିସ୍ କରିଛନ୍ତି ।
ସେହିପରି ଗତ ମାସରେ କୋଣାର୍କରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ ନିମନ୍ତେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିବା ରାଜ୍ୟ ସରକାର ମଧ୍ୟ ଏନେଇ ଆର୍ଥିକ ଅନୁଦାନ ମିଳିବ । କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିରର ସଂରକ୍ଷଣ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଂଚଳର ବିକାଶ, ଚନ୍ଦ୍ରଭାଗାରୁ କାକଟପୁର ପର୍ଯ୍ୟନ୍ତ ରାସ୍ତା, କୋଣାର୍କ ରିଙ୍ଗ ରୋଡ୍ ଓ ଚନ୍ଦ୍ରଭାଗା ବେଳାଭୂମିର ବିକାଶ ନିମନ୍ତେ ୧୫୦କୋଟି ଟଙ୍କା ଅନୁଦାନ ଦେବା ପାଇଁ ପଂଚଦଶ ଅର୍ଥ କମିଶନ ସୁପାରିସ୍ କରିଛନ୍ତି ।
ପୁରୀ ଓ କୋଣାର୍କ ସହରରେ ଭିତ୍ତିଭୂମି ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ଏହାକୁ ବିଜେଡି ଏବେ ନିଜର ସଫଳତା ଭାବେ ଉପସ୍ଥାପିତ କରୁଛି । ତେବେ ଏହି ଦୁଇ ପ୍ରମୁଖ ପର୍ଯ୍ୟଟନୀ ସ୍ଥଳୀର ବିକାଶ ନିମନ୍ତେ ପଂଚଦଶ ଅର୍ଥ କମିଶନଙ୍କ ସୁପାରିସରେ କେନ୍ଦ୍ର ସରକାର ୩୨୫କୋଟି ଯୋଗାଇ ଦେବାକୁ ନିଷ୍ପତ୍ତି ନେବାପରେ ଏହାକୁ ‘ଶୋ-କେସ୍’ କରିବା ବିଜେଡି ପାଇଁ କଷ୍ଟକର ହେବ ।