ରାଜ୍ୟ

ପ୍ରଥମଥର ରାଜଭବନ ବାହାରେ ଶପଥ ନେବ ନବୀନ ସରକାର

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):କ୍ରମାଗତ ପଞ୍ଚମଥର ପାଇଁ ରାଜ୍ୟରେ କ୍ଷମତାସୀନ ହେବାକୁ ଯାଉଥିବା ନବୀନ ପଟ୍ଟନାୟକ ସରକାର ନିଜର ଶପଥ ସମାରୋହକୁ ଭବ୍ୟ କରିବା ନିମନ୍ତେ ସ୍ଥିର କରିଛି। ପ୍ରଥମଥର ପାଇଁ ରାଜଭବନ ବାହାରେ ନିଜର ଶପଥ ସମାରୋହକୁ ଆୟୋଜନ କରିବା ପାଇଁ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ମେ’ ମାସ ୩ତାରିଖରେ ଆସିଥିବା ପ୍ରଳୟଙ୍କରୀ ‘ଫୋନି’ ତାଣ୍ଡବରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଭଳି ଜିଲ୍ଲାର ଲୋକେ ଏବେବି ଆଉଟୁପାଉଟୁ ହେଉଥିବାବେଳେ ନବୀନ ସରକାର ନିଜର ଶପଥ ସମାରୋହକୁ ଭବ୍ୟ କରିବା ପାଇଁ ରାଜଭବନ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆକୁ ଚୟନ କରିଛି।
ମିଳିଥିବା ସୂଚନା ଅନୁସାରେ ମେ’ ୨୯ତାରିଖରେ ନବୀନ ପଟ୍ଟନାୟକ ଓ ତାଙ୍କ କ୍ୟାବିନେଟ୍ ସହଯୋଗୀମାନେ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ଏଥିପାଇଁ ପ୍ରଦର୍ଶନୀ ପଡ଼ିଆରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଶପଥ ସମାରୋହକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ୍ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଛି। ସାଧାରଣ ଲୋକମାନେ ଯେଭଳି ଶପଥ ସମାରୋହକୁ ଦେଖିପାରିବେ ସେଥିପାଇଁ ପଡ଼ିଆରେ ବଡ଼ ବଡ଼ ଏଲଇଡି ସ୍କ୍ରିନ ଲଗାଯିବାର ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version