ରାଜ୍ୟ

ପ୍ରଶ୍ନପତ୍ର ଲିକ୍‌, ବାତିଲ ହେଲା ‘ଓଟିଇଟି’

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ପ୍ରଶ୍ନପତ୍ର ଲିକ୍ ପାଇଁ ଓଟିଇଟି (ଓଡ଼ିଶା ଟିଚର ଏଲିଜିବିଲିଟୀ ଟେଷ୍ଟ୍‌) ବାତିଲ ହୋଇଯାଇଛି।
ଆଜି ଓଟିଇଟିର ଦୁଇଟି ସିଟିଂ ପରୀକ୍ଷା ଥିଲା। ସକାଳ ସାଢ଼େ ୧୦ଟାରେ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଜଣାପଡ଼ିଥିଲା। ସୋଶାଲ୍ ମିଡିଆରେ ପ୍ରଶ୍ନପତ୍ର ଘୁରି ବୁଲିବା ପରେ ଏ ବିଷୟରେ ଜଣାପଡ଼ିଥିଲା।ପ୍ରଥମ ସିଟିଂ ପରୀକ୍ଷା ସରିବା ପରେ ଓ ଲିକ୍ ପ୍ରଶ୍ନପତ୍ର ଯାଞ୍ଚ କରିବା ପରେ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରୀକ୍ଷା ବାତିଲ ନେଇ ଘୋଷଣା କରାଯାଇଛି। ଆଜିର ଦୁଇଟି ସିଟିଂ ପରୀକ୍ଷାକୁ ବାତିଲ କରାଯାଇଛି।
ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଆରା ବେଗମ ଏ ସଂର୍ପକରେ ସୂଚନା ଦେଇ କହିଛନ୍ତି ଯେ ଏ ଘଟଣା ଦୁର୍ଭାଗ୍ୟଜନକ। ଆଉ ଥରେ ଓଟିଇଟି ପରୀକ୍ଷା କରାଯିବ। ତେବେ କେବେ ପରୀକ୍ଷା ହେବ ସେ ନେଇ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ପରୀକ୍ଷା ବାତିଲ ଖବର ଶୁଣିବା ପରେ ରାଉରକେଲାରେ ଉତ୍ତେଜନା ପ୍ରକାଶ ପାଇଛି। ଉଦିତ୍‌ ନଗର ହାଇସ୍କୁଲ୍‌ ପରୀକ୍ଷା କେନ୍ଦ୍ରରେ ଏହି ଉତ୍ତେଜନା ଦେଖାଯାଇଛି। ସ୍କୁଲ୍‌ ସାମ୍ନାରେ ପରୀକ୍ଷାର୍ଥୀମାନେ ଧାରଣା ଦେଇଛନ୍ତି। ପରୀକ୍ଷାର୍ଥୀମାନେ ଖର୍ଚ୍ଚାନ୍ତ ହୋଇ ଦୂରଦୂରାନ୍ତରୁ ଆସିଥିବାରୁ ଉତ୍ତେଜନା ଦେଖା ଦେଇଛି। ଆଜି ପ୍ରଥମ ସିଟିଂ ପରୀକ୍ଷା ସକାଳ ସାଢ଼େ ୧୦ଟାରୁ ଆରମ୍ଭ ହୋଇ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ନ ୨ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ହେବାର ଥିଲା।

ଏଥର ୧ ଲକ୍ଷ ୧୨ ହଜାର ପିଲା ଓଟିଇଟି ଦେବା ପାଇଁ ଆବେଦନ କରିଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version