ରାଜନୀତି

ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକା ଚୂଡ଼ାନ୍ତ, ଘୋଷଣା ଖୁବଶୀଘ୍ର

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ଦିନକ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବା ସହ ନାମାଙ୍କନ ପତ୍ର ଦାଖଲ ହେବ। କିନ୍ତୁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀଙ୍କ ତାଲିକା ସାର୍ବଜନୀନ କରିବାରେ ସକ୍ଷମ ହୋଇନାହାନ୍ତି। ବିଜେପି ଓ କଂଗ୍ରେସ ଆସନ୍ତାକାଲି ସୁଦ୍ଧା ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବାର ସମ୍ଭାବନା ଥିବାବେଳେ ବିଜେଡି ଯେକୌଣସି ମୁହୂର୍ତ୍ତରେ ପ୍ରଥମ ପର୍ଯ୍ୟାୟ ପାଇଁ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବୋଲି ଜଣାପଡ଼ିଛି।
ଏପ୍ରିଲ ୧୧ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୨୫ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲର ଶେଷ ହେବ। ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, ନବରଙ୍ଗପୁର,କୋରାପୁଟ ଓ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ସମେତ ୨୮ଟି ବିଧାନସଭା ପାଇଁ ନିର୍ବାଚନ ହେବ। ଗତ କିଛିଦିନ ଧରି କସରତ ପରେ ବିଜେଡି ଏସବୁ ଆସନ ପାଇଁ ନିଜର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛି। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବ୍ରହ୍ମପୁର ଲୋକସଭା ଆସନ ପାଇଁ ଚନ୍ଦ୍ରଶେଖର ସାହୁଙ୍କ ଦଳ ପ୍ରାର୍ଥୀ କରିବାକୁ ଦଳ ନିଷ୍ପତ୍ତି ନେଇଥିବାବେଳେ କୋରାପୁଟ ଲୋକସଭା ପାଇଁ ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକା, ନବରଙ୍ଗପୁର ଲୋକସଭା ଆସନରୁ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଓ କଳାହାଣ୍ଡି ଲୋକସଭା ଆସନରୁ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପ୍ରାର୍ଥୀ କରିବା ଏକପ୍ରକାର ଚୂଡ଼ାନ୍ତ ହୋଇଛି। ସେହିପରି ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ମଧ୍ୟରୁ ଚିକିଟି, ଗୋପାଳପୁର, ଛତ୍ରପୁର ଓ ଦିଗପହଣ୍ଡିରେ ଦଳ ନିଜର ପୁରୁଣା ପ୍ରାର୍ଥୀଙ୍କୁ ପୁଣିଥରେ ମଇଦାନକୁ ଓହ୍ଲାଉଥିବାବେଳେ ବ୍ରହ୍ମପୁର ବିଧାନସଭା ସିଟରେ କଂଗ୍ରେସରୁ ଆସିଥିବା ବିକ୍ରମ ପଣ୍ଡାଙ୍କୁ ପ୍ରାର୍ଥୀ କରିବ। ମୋହନା ଓ ପାରଳାଖେମୁଣ୍ଡିରେ ଦଳ ନୂଆଁ ମୁହଁଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟର ୨୮ଟି ବିଧାନସଭା ଆସନ ମଧ୍ୟରୁ ପ୍ରାୟ ୬ଟି ଆସନରେ ଦଳ ମହିଳା ପ୍ରାର୍ଥୀଙ୍କୁ ଛିଡ଼ା କରିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version