Latest
ବିବାହ ଶୋଭାଯାତ୍ରାକୁ ମିଳିଲା ଅନୁମତି
ଭୁବନେଶ୍ୱର(ଓଡ଼ିଶା ୱେୟାର): କରୋନା କଟକଣା ମଧ୍ୟରେ ବିବାହ ଉତ୍ସବ ପାଇଁ ବରଯାତ୍ରୀଙ୍କ ପ୍ରୋସେସନ୍ ନିମନ୍ତେ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏଣିକି ବର ଯିବାବେଳେ ବାଜା-ବାଣ ଓ ରୋଷଣୀ କରି ବରଯାତ୍ରୀମାନେ ଯାଇପାରିବେ । ତେବେ ଏହି ଲୋକଙ୍କ ସଂଖ୍ୟା ସର୍ବାଧିକ ୨୦୦ ହେବ ଓ ସମସ୍ତ ପ୍ରକାରର କୋଭିଡ୍ ନିୟମାବଳୀ ମାନିବାକୁ ପଡ଼ିବ
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଜି ଏନେଇ ସମସ୍ତ ଜିଲ୍ଲାପାଳ, ଏସପି, ମ୍ୟୁନିସପାଲ କମିଶନର ଓ ପୁଲିସ କମିଶନରଙ୍କୁ ଚିଠି ଲେଖି ବିବାହ ଓ ଅନ୍ତେଷ୍ଟି ଶୋଭାଯାତ୍ରା ପାଇଁ ସାନି ଗାଇଡଲାଇନ୍ ଜାରି କରିଛନ୍ତି । ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ବିବାହ ଶୋଭାଯାତ୍ରା ପାଇଁ ସରକାର ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ବର, କନ୍ୟା, ବରଯାତ୍ରୀ, ପୂଜକ, ବନ୍ଧୁବାନ୍ଧବ,ସାଙ୍ଗସାଥୀ, ବ୍ୟାଣ୍ଡ ପାର୍ଟି ସଦସ୍ୟ, ଲାଇଟ୍ ଓ ସାଉଣ୍ଡ ସଦସ୍ୟଙ୍କୁ ମିଶାଇ ଏହି ସଂଖ୍ୟା ସର୍ବାଧିକ ୨୦୦ ରହିବ ବୋଲି କହିଛନ୍ତି । ସେହିପରି ଅନ୍ତେଷ୍ଟି କ୍ରିୟା ବା ଅନ୍ତିମ ସଂସ୍କାର ସମୟରେ ସର୍ବାଧିକ ୧୦୦ଜଣଙ୍କୁ ସାମିଲ ହେବା ପାଇଁ ଅନୁମତି ମିଳିବ । ମାସ୍କ, ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡ ୱାସ୍ କରିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ରହିବ । କୌଣସି ବନ୍ଦ କୋଠରୀର କ୍ଷମତାର ସର୍ବାଧିକ ୫୦% ଏବଂ ଖୋଲା ସ୍ଥାନରେ ପଡ଼ିଆର ଆକାର ହିସାବରେ ଲୋକଙ୍କୁ ସାମାଜିକ ଦୂରତ୍ୱ ରଖିବାକୁ ପରାମର୍ଶ ଦିଆଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟ ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୦ ଜୁଲାଇ ୬ତାରିଖରେ ବିବାହ ଶୋଭାଯାତ୍ରା ଉପରେ କଟକଣା ଜାରି କରିଥିଲେ । ମାତ୍ର ଡିସେମ୍ବର ୩୦ତାରିଖରେ ଜାରି ନିର୍ଦ୍ଦେଶନାମାରେ ବିବାହ ଉତ୍ସବରେ ସର୍ବାଧିକ ୨୦୦ଲୋକଙ୍କ ସମାବେଶ ହୋଇପାରିବ ବୋଲି ଅନୁମତି ଦେଇଥିଲେ ।