ଭୁବନେଶ୍ୱର(ଓଡ଼ିଶା ୱେୟାର): ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇ ସହ ଲୁଚକାଳି ଖେଳୁଥିବା ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୋହନ ସରକାର । ଆଜି ତାଙ୍କୁ ୩ଟି ଯାକ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ପଦରୁ ହଟାଇ ଦେଇଛନ୍ତି । ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି(ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି) ଭାବେ ପନିସମେଂଟରେ ପଠାଇ ଦିଆଯାଇଛି ।
ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ଅନୁସୂଚିତ ଜାତି,ଜନଜାତି ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଆ ଭାଷାସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ୧୯୯୭ ବ୍ୟାଚ୍ ଆଇଏଏସ୍ ସଞ୍ଜିବ କୁମାର ମିଶ୍ରଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଶ୍ରୀ ମିଶ୍ରଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତି କରାଯାଇଥିବାବେଳେ ସେ ଅତିରିକ୍ତ ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୟ ଦିଆଯାଇଛି । ଶ୍ରୀ ମିଶ୍ର ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ ।
ସେହିପରି ଆନ୍ତଃକ୍ୟାଡ଼ର ଡେପୁଟେସନରେ ଆସିଥିବା ୨୦୦୬ ବ୍ୟାଚ୍ ଆଇଏଏସ୍ ମନୋଜ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ସାହୁଙ୍କୁ ରାଜ୍ୟ ସରକାରଙ୍କ ଅନୁରୋଧରେ କେନ୍ଦ୍ର ସରକାର ଓଡ଼ିଶା ପଠାଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଲାଂଚ କାରବାର ଓ ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇ ଗତ ୧୦ତାରିଖରୁ ବିଷ୍ଣୁପଦ ସେଠୀଙ୍କୁ ହାଜର ପାଇଁ ନୋଟିସ୍ ଦେଇଥିଲେ ମଧ୍ୟ ସେ ତାହାକୁ ଏଡ଼ାଇ ଚାଲିଛନ୍ତି । ସିବିଆଇ ସହ ବିଷ୍ଣୁପଦ ଲୁଚକାଳି ଖେଳୁଥିବାବେଳେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଗଣମାଧ୍ୟମରେ ଚର୍ଚ୍ଚା ପରେ ସରକାର ବିଷ୍ଣୁପଦଙ୍କ ଉପରେ ଆକ୍ସନ ନେଇଛନ୍ତି । ତାଙ୍କୁ ଆଜି ସବୁ ବିଭାଗର ହଟାଇ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରିଛନ୍ତି । ବିଷ୍ଣୁପଦଙ୍କୁ ମଧ୍ୟ ପୂର୍ବରୁ ଏଭଳି ପନିସମେଂଟ ଭୋଗିବାକୁ ପଡ଼ିଥିଲା । ୨୦୨୩ ମସିହାରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଥିବାବେଳେ ବିଷ୍ଣୁପଦଙ୍କ ବିରୁଦ୍ଧରେ ଏଭଳି ଦୁର୍ନୀତି ଅଭିଯୋଗ ଆସିବା ପରେ ତତକାଳୀନ ସରକାର ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ପନିସମେଂଟରେ ପଠାଇ ଦେଇଥିଲେ । ୨୦୨୩ ଜୁନ୍ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ସେ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ବିନା କାମରେ ଦରମା ନେଉଥିଲେ ।
ନୂଆବର୍ଷରୁ ଚାଷୀ ପଞ୍ଜିକରଣ: ମିଳିବ ୟୁନିକ୍ ନମ୍ବର ଓ ଡିଜିଟାଲ ଚାଷୀ କାର୍ଡ
ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟର ସମସ୍ତ ଚାଷୀଙ୍କ କୁଣ୍ଡଳୀ ସରକାରଙ୍କ ପାଖରେ ରହିବ । ଏଥିପାଇଁ ସମସ୍ତ ଚାଷୀଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି...