ରାଜ୍ୟ

ବେଦାନ୍ତ ପ୍ରକଳ୍ପରୁ ଓରିଲେ ବିଜୟ ପଟ୍ଟନାୟକ

Posted on

ଭୁବନେଶ୍ୱର : ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପକୁ ବିକଳ୍ପ ଜମି ଦିଆଯିବ ନାହିଁ ବୋଲି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ସ୍ପଷ୍ଟ କରିଛନ୍ତି ।
ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପର ସଭାପତି ପଦରୁ ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ ଓହରିଯିବା ପରେ ଏହି ପ୍ରକଳ୍ପ ପାଇଁ ଅନ୍ୟତ୍ର ଜମି ଆବଣ୍ଟନ କରାଯିବ କି ବୋଲି ପ୍ରଶ୍ନର ଉତ୍ତର ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ ମାମଲା ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି । ପ୍ରକଳ୍ପ କାମ ଆଗେଇବ କି ନାହିଁ ସେ ସମ୍ପର୍କରେ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପାଖରେ ସୂଚନା ନାହିଁ । ସେିହପରି ବିଜୟ ପଟ୍ଟନାୟକଙ୍କ ସ୍ଥାନରେ କମ୍ପାନୀ କାହାକୁ ଏହି ପ୍ରକଳ୍ପର ମୁଖ୍ୟ ଭାବେ ଅବସ୍ଥାପିତ କରିବ ସେ ନେଇ ମଧ୍ୟ ବେଦାନ୍ତ କମ୍ପାନୀ କର୍ତ୍ତୃପକ୍ଷ କୌଣସି ସୂଚନା ମଧ୍ୟ ଦେଇନାହାନ୍ତି । ଉଲ୍ଲେଖଯୋଗ୍ୟ ଶ୍ରୀ ପଟ୍ଟନାୟକ ଗତକାଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ସଭାପତି ପଦରୁ ଇସ୍ତଫା ଦେଇଥିବାକୁ ସ୍ୱୀକାର କରିଛନ୍ତି । ଏବେ ସେ ଦୁଇମାସର ନୋଟିସ୍ ଅବଧି ମଧ୍ୟରେ ରହିଛନ୍ତି । ବେଦାନ୍ତ ବିଶ୍ୱବିଦ୍ୟାଳୟ ସ୍ଥାପନ ଦିଗରେ କମ୍ପାନୀ କର୍ତ୍ତୃପକ୍ଷ ବିଶେଷ ଆଗ୍ରହ ଦେଖାଉନଥିବାରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବେଦାନ୍ତ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଜମି ମୁଖ୍ୟ ପ୍ରତିବନ୍ଧକ ବୋଲି ସେ କହିଛନ୍ତି । ତାଙ୍କ ଇସ୍ତଫା ପରେ ଏହି ବିଶ୍ୱବିଦ୍ୟାଳୟର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ଅଞ୍ଚଳରେ ବେଦାନ୍ତକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରାଯାଇ ବେଦାନ୍ତ ଫାଉଣ୍ଡେସନ୍କୁ ମୋଟ ୪୦୦୪.୪୮ ଏକର ଜମି ହସ୍ତାନ୍ତର କରାଯାଇଛି । ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ପାଇଁ ୨୦୦୬ ଜୁଲାଇ ୧୯ତାରିଖରେ ରାଜ୍ୟ ସରକାର ଓ ବେଦାନ୍ତ ଗ୍ରୁଫ୍ ମାଲିକାନାରେ ଥିବା ଅନୀଲ ଅଗ୍ରୱାଲ ଫାଉଣ୍ଡେସନ୍ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିଲ ଏବଂ ୮ହଜାର ଏକର ଜମି ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ସ୍ଥାନୀୟ ଲୋକଙ୍କ ବିରୋଧ ଓ କୋର୍ଟଙ୍କ ହସ୍ତକ୍ଷେପ ଯୋଗୁ ଏହି ପ୍ରକଳ୍ପ ଏବେ ଅନିଶ୍ଚିତତା ମଧ୍ୟରେ ରହିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version