Latest

ଭୋଟ୍ ପରେ ଭୁଲିଗଲେ, ବାକି ପଡ଼ିଛି ୧୮ହଜାର ପ୍ରୋଜେକ୍ଟ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାରପ୍ରସାର କରି ଭୋଟ୍ ହାତେଇବାରେ ସକ୍ଷମ ହୋଇଥିବା ବିଜେଡି ସରକାର ଏବେ ନିଜର ଏହି ମହାତ୍ୱାକାଂକ୍ଷୀ ଯୋଜନାକୁ ଭୁଲି ଯାଇଛନ୍ତି । ଯେଉଁ ଧୂମଧାମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ ଏହି ପ୍ରକଳ୍ପ କାର୍ଯ୍ୟକୁ ମଞ୍ଜୁର ଦେଉଥିଲେ ଓ ବିଜେଡି ଏଥିରୁ ରାଜନୀତିକ ଫାଇଦା ଉଠାଉଥିଲା, ଏବେ ଭୋଟ୍ ସରିବାପରେ ସେସବୁକୁ ଭୁଲି ଯାଇଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ, ଏହି ପ୍ରୋଜେକ୍ଟ ନିମନ୍ତେ ଅର୍ଥ ବ୍ୟୟବରାଦ ଥିବା ସତ୍ତ୍ୱେ ସେହି ସବୁ କାର୍ଯ୍ୟ କାହିଁକି ଆଗେଇ ପାରୁନି ତା’ର ସରକାରୀସ୍ତରରେ ସମୀକ୍ଷା ବି ହେଉନଥିବା ଜଣାପଡ଼ିଛି ।
ଆଜି ବିଧାନସଭାରେ ବିଜେପି ସଦସ୍ୟ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନ ଲିଖିତ ଉତ୍ତର ଦେଇ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୋଟ ୬୭୯୮ଟି ପଂଚାୟତରେ ୧୫୫୪.୬୦କୋଟି ଟଙ୍କା ବ୍ୟୟରେ ୬୨୭୪୨ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର ପ୍ରଦାନ କରିଥିଲେ । ଏହି ପ୍ରକଳ୍ପର ୭୧.୩୧ ପ୍ରତିଶତ ଅର୍ଥାତ୍ ୪୪୭୩୯ଟି ପ୍ରୋଜେକ୍ଟ ଶେଷ ହୋଇଥିବାବେଳେ ୧୮୦୦୩ଟି ପ୍ରୋଜେକ୍ଟ କାମ ବାକି ରହିଛି । ୨ବର୍ଷ ବିତିଯିବା ପରେ ମଧ୍ୟ କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲାରେ ଆବଣ୍ଟିତ ମୋଟ କାର୍ଯ୍ୟର ୫୦ ପ୍ରତିଶତ ମଧ୍ୟ ଛୁଇଁପାରିନି ।
ବାଲେଶ୍ୱର ଜିଲ୍ଲାରେ ୪୩.୨୮%, ଗଜପତିରେ ୩୧ ପ୍ରତିଶତ, ନୟାଗଡ଼ରେ ୫୩.୬୮%, ରାୟଗଡ଼ାରେ ୫୦%, ସୋନପୁରରେ ୫୬%, ବଲାଙ୍ଗିରରେ ୬୧% ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୬୮% ପ୍ରୋଜେକ୍ଟ କାର୍ଯ୍ୟ ନିର୍ମାଣ ହୋଇପାରିଛି । ବାକି ୧୮ହଜାର ପ୍ରୋଜେକ୍ଟକୁ ୨୦୨୧ ମାର୍ଚ୍ଚ ଶେଷସୁଦ୍ଧା ସାରିବା ନିମନ୍ତେ ଜିଲ୍ଲାପାଳ ଓ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଯୋଜନାକୁ ମଧ୍ୟ ସ୍ଥଗିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।
ତେବେ ପ୍ରଶ୍ନ ଉଠୁଛି, ନିର୍ବାଚନ ପୂର୍ବରୁ ବହୁ ଆଡ଼ମ୍ବର ସହ କୋଟିକୋଟି ଟଙ୍କାର ବିଜ୍ଞାପନ ଖର୍ଚ୍ଚ କରି ଯେଉଁ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମକୁ ସରକାର କଲେ ଏବେ ସେଗୁଡ଼ିକୁ କିଭଳି ସମ୍ପୂର୍ଣ୍ଣ ହେବ ସେ ନେଇ କାହିଁକି ସାମାନ୍ୟ ଆଗ୍ରହ ଦେଖାଉ ନାହାନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version