ରାଜନୀତି
ମହାନଦୀ ଲଢ଼େଇ ବିଜେଡିର ନୁହେଁ, ଓଡ଼ିଶାବାସୀଙ୍କର : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମହାନଦୀ ପାଇଁ ଏ ଲଢ଼େଇ କେବଳ ବିଜେଡିର ନୁହେଁ, ବରଂ ସମଗ୍ର ଓଡ଼ିଶାବାସୀଙ୍କର । ଏ ଲଢ଼େଇ ଭବିଷ୍ୟତ ପୀଢିକୁ ସୁରକ୍ଷିତ ରଖିବା ନିମନ୍ତେ ଉଦ୍ଦିଷ୍ଟ । ମହାନଦୀର ସୁରକ୍ଷା ପାଇଁ ଲଢ଼େଇ ସଫଳ ହେବ ଓ ଓଡ଼ିଶା ଜାତି ତା’ର ହକ୍ ପାଇବ । ଦଳ ମତ ଉପରକୁ ଉଠି ଏ ଅଭିଯାନରେ ସାମିଲ ହେବା ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।
ଆଜି ମହାନଦୀର ଦୁଇ ପାଶ୍ୱର୍ରେ ଥିବା ଝାରସୁଗୁଡ଼ା ଜିଲ୍ଲାର ସୁଖାଶୋଡ଼ା ଓ ବରଗଡ଼ ଜିଲ୍ଲାର ଚିଖିଲିଠାରୁ ବିଜେଡିର ମହାନଦୀ ଜନଜାଗରଣ ଯାତ୍ରାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମହାନଦୀ ଓଡ଼ିଶାର ଜୀବନରେଖା । ମହାନଦୀକୁ ଛାଡ଼ି ଓଡ଼ିଆ ଜାତିର କଳ୍ପନା କରାଯାଇପାରିବ ନାହିଁ । ଏ ଲଢ଼େଇ କେବଳ ବିଜେଡିର ନୁହେଁ, ବରଂ ସମଗ୍ର ଓଡ଼ିଶାବାସୀଙ୍କର । କିନ୍ତୁ ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଓ ଛତିଶଗଡ଼ର ବିଜେପି ସରକାରଙ୍କ ମନୋବୃତ୍ତି ଓଡ଼ିଶା ବିରୋଧୀ । ଓଡ଼ିଶାର ବିଜେପି ନେତାମାନେ ଛତିଶଗଡ଼ର କାମକୁ ସମର୍ଥନ କରୁଛନ୍ତି । ଆଉ ଓଡ଼ିଶା ଆସି ଏଠାରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଯଦି ବିଜେପି ନେତାଙ୍କର ଓଡ଼ିଆଙ୍କ ପ୍ରତି, ଓଡ଼ିଶା ପ୍ରତି ଦରଦ ଅଛି, ତେବେ ଛତିଶଗଡ଼ ସରକାରର କାମକୁ ବିରୋଧ କରନ୍ତୁ । ବର୍ଷା ଦିନେ ମହାନଦୀରେ ପାଣି ସମସ୍ୟା ନାହିଁ । କିନ୍ତୁ ଛତିଶଗଡ଼ରେ ଅନେକ ବ୍ୟାରେଜ୍ ନିର୍ମାଣ ଯୋଗୁ ଅନ୍ୟ ଋତୁରେ ମହାନଦୀ ଶୁଖିଲା ରହୁଛି । ହୀରାକୁଦର ପାଣି କମି ଯାଉଛି । କିଛି ଜାଗାରେ ବ୍ୟାରେଜ୍ ନିର୍ମାଣ ହେଲେ ସମସ୍ୟାର ସମାଧାନ ହେବ ନାହିଁ । ବ୍ୟାରେଜ୍ ପାଖରେ ପାଣି ରହିବ । କିନ୍ତୁ ମହାନଦୀର ସମୁଦାୟ ୫୦୦ କିଲୋମିଟର ଅଂଶରେ ପାଣି ମିଳିବ ନାହିଁ । ଚାଷୀ ଓ ମତ୍ସ୍ୟଜୀବୀମାନଙ୍କ ଜୀବିକାରେ କ୍ଷତି ହେବ । ଚାଷୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ମହାନଦୀରେ ଅନେକ ମେଗା ଲିଫ୍ଟ କରିଛନ୍ତି । ଆଗକୁ ମଧ୍ୟ ଆହୁରି କରାଯିବ । ମହାନଦୀକୁ ଶୁଖିଲା ହେବାକୁ ଦିଆଯିବ ନାହିଁ । ବିଜେଡି ସରକାର ମହାନଦୀ ପାଇଁ ସୁପ୍ରିମକୋର୍ଟ ଯାଇଥିଲା ଏବଂ ଯୁକ୍ତିଯୁକ୍ତ ଦାବି ରଖିବା ଯୋଗୁ ଟ୍ରିବ୍ୟୁନାଲ୍ ଗଠନ ସମ୍ଭବପର ହୋଇଛି ବୋଲି ସେ କହିଛନ୍ତି । ଏହି ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର ଜିଲ୍ଲାର ନିର୍ଦ୍ଧାରିତ ରୁଟ୍ଚାର୍ଟରେ ପଥପ୍ରାନ୍ତ ସଭା, ସାଧାରଣ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଅବବାହିକା ଅଞ୍ଚଳବାସୀଙ୍କୁ ସଚେତନ କରାଯିବା ସହ ମହାନଦୀ ସମସ୍ୟା ସଂପର୍କିତ ସତ୍ୟ-ତଥ୍ୟ ପୁସ୍ତିକା ଓ ପ୍ରଚାରପତ୍ର ସର୍ବସାଧାରଣରେ ବଣ୍ଟନ କରାଯିବ । ମହାନଦୀ ଅବବାହିକା ନିକଟସ୍ଥ ଅନ୍ୟ ଜିଲ୍ଲା ଓ ବ୍ଲକରେ ମଧ୍ୟ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଓଡ଼ିଶାର ହକ୍ ଓ ମହାନଦୀର ସୁରକ୍ଷା ପାଇଁ ଏହି ଜନଜାଗରଣ ଆନ୍ଦୋଳନର ମହାସଂଗ୍ରାମରେ ରାଜ୍ୟର ଛାତ୍ର, ଯୁବକ, କୃଷକ, ମତ୍ସ୍ୟଜୀବୀ, ମହିଳା, ବୁଦ୍ଧିଜୀବୀ, ସମସ୍ତ ସାମାଜିକ ସଂଗଠନ, ସବୁ ରାଜନୈତିକ ଗୋଷ୍ଠୀ ଏବଂ ସର୍ବୋପରି ଓଡ଼ିଶାର ସମଗ୍ର ଜନସାଧାରଣ ସକ୍ରିୟ ଭାବେ ସାମିଲ ହେଉଛନ୍ତି । ଆଜିର ଏହି ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଉଭୟପଟରେ ଦଳର ଉପ-ସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ବିଧାୟକ ସଂଜୟ କୁମାର ଦାସବର୍ମା ସାଂସଦ ନଗେନ୍ଦ୍ର ପ୍ରଧାନ, ସାଂସଦ ପ୍ରତାପ କେଶରୀ ଦେବ, ପ୍ରଭାସ ସିଂହ, ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ମନ୍ତ୍ରୀ ସୁଶାନ୍ତ ସିଂହ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବଦ୍ରିନାରାୟଣ ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ଦଳର ଉପ-ସଭାପତି ଅନଙ୍ଗ ଉଦୟ ସିଂହଦେଓ, ସାଂସଦ ଏନ୍.ଭାସ୍କର ରାଓ, ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ଯୋଗେନ୍ଦ୍ର ବେହେରା, ଦେବେଶ ଆଚାର୍ଯ୍ୟ, ବରଗଡ଼ ଜିଲ୍ଲା ସଭାପତି ବିଜୟ ରଞ୍ଜନ ସିଂ ବରିହା, କାର୍ଯ୍ୟକାରୀ ସଭାପତି ପ୍ରଭାତ ଆଦିତ୍ୟ ମିଶ୍ର, ଝାରସୁଗୁଡ଼ା ଜିଲ୍ଲା ସଭାପତି କିଶୋର ମହାନ୍ତି, ପୂର୍ବତନ ବିଧାୟକ ଅନୁପ ସାଏ, ରବି ପାଣି, ରମେଶ ପଟୁଆ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ସୌଭାଗ୍ୟ ନାୟକ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।