ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବା ବେଳେ ସମସ୍ତ ପର୍ବପର୍ବାଣୀ ଧୁମଧାମରେ ପାଳନ ହୋଇଥାଏ। ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସବୁ ପର୍ବ ଅତି ଉତ୍କଣ୍ଠାର ସହ ପାଳନ କରିଥାନ୍ତି। ଏଠି ୨ ମାସରେ ୧୩ ପର୍ବ। ସବୁ ପର୍ବର ମାହାତ୍ମ୍ୟ ମଧ୍ୟ ରହିଛି। ସେହି କ୍ରମରେ ହିନ୍ଦୁ ଧର୍ମରେ ରାକ୍ଷୀ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି। ଭାଇ-ଭଉଣୀ ସମ୍ପର୍କର ଅନନ୍ୟ ନିଦର୍ଶନ ରାକ୍ଷୀ ପୂର୍ଣ୍ଣିମା। ଭାଇର ଶୁଭ ମନାସି ଭଉଣୀ ରାକ୍ଷୀ ବାନ୍ଧିଥାଏ। ଠିକ ସେହିପରି ଭାଇ ଭଉଣୀର ରକ୍ଷାକବଚ ହୋଇ ରହିବାକୁ ପ୍ରତିଜ୍ଞା କରିଥାଏ। ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ। ଏହି ପର୍ବ ସହିତ ଶ୍ରାବଣ ମାସ ଶେଷ ହୁଏ।ରାକ୍ଷୀ ବାନ୍ଧିବାର ଏକ ଲୋକକଥା ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ସମ୍ବନ୍ଧିତ। ଭଗବାନ କୃଷ୍ଣ ଶିଶୁପାଳ ବଦ୍ଧ କରିବା ଚକ୍ର ଚଲାଇବା ବେଳେ ହାତରେ କ୍ଷତ ହୋଇଥିଲା। ସେହି ସମୟରେ ଦ୍ରୌପଦୀ ଶାଢୀରୁ ଖଣ୍ଡେ କପଡ଼ା ଚିରି କୃଷ୍ଣଙ୍କ ହାତରେ ବାନ୍ଧି ଦେଇଥିଲେ।
ଏହାପରେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ଭଉଣୀ ବୋଲି ସ୍ୱୀକାର କରି ସର୍ବଦା ତାଙ୍କ ରକ୍ଷା କରିବାକୁ ପ୍ରତିଶୃତି ଦେଇଥିଲେ।ତେବେ ଅନ୍ୟ ରାଜ୍ୟମାନଙ୍କରେ ଏହି ଶ୍ରାବଣ ପୂର୍ଣ୍ଣିମାର ପର୍ବ ଭିନ୍ନ ରୀତିରେ ପାଳିତ ହେଇଆସୁଛି। ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଆଦି ସ୍ଥାନରେ ଶ୍ରାବଣ ପୂର୍ଣ୍ଣିମା ନାରିକେଳ ପୂର୍ଣ୍ଣିମା ଭାବେ ପାଳିତ ହେଇଥାଏ । ଏହି ଦିନ ସମୂଦ୍ର ଦେବତା ବରୁଣଙ୍କୁ ନାରିକେଳ ବା ନଡ଼ିଆ ପ୍ରଦାନ କରାଯାଏ । ଉପକୂଳବର୍ତ୍ତୀ ଅଞ୍ଚଳ, ବିଶେଷକରି ଯେଉଁମାନେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସମୁଦ୍ର ଉପରେ ନିର୍ଭର କରିଥାନ୍ତି ସେମାନଙ୍କ ପାଇଁ ଏହି ପର୍ବ ଯଥେଷ୍ଟ ମହତ୍ତ୍ୱ ରଖେ । ଗୁଜରାଟରେ ଏହି ଦିନ ପବିତ୍ରୋପନ ଭାବେ ପାଳିତ ହୋଇଥାଏ । ଉତ୍ତର ଭାରତରେ ଏହି ପର୍ବ କାଜରି ପୂର୍ଣ୍ଣିମା ଭାବେ ଜଣାଶୁଣା ।