ରାଜ୍ୟ

ରାଜକୋଷ ଅର୍ଥରେ ନିର୍ବାଚନ ପ୍ରଚାର ପାଇଁ ଉଦ୍ୟମ ଚାଲିଛି : କଂଗ୍ରେସ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଯେଉଁ ବଜେଟ ଉପସ୍ଥାପନ କରିଛନ୍ତି ତାହା ରାଜ୍ୟର ଅର୍ଥନୀତିକୁ ଗତିଶୀଳ ଓ ବେରୋଜଗାରୀ ଦୂର କରିବାରେ ଅସମର୍ଥ। ପିଠା ଓ ବିଜୁ ଯୁବ ବାହିନୀ ପାଇଁ ବଜେଟରେ ୫୦୫କୋଟି ଟଙ୍କା ବ୍ୟୟବରାଦ କରି ରାଜକୋଷ ଅର୍ଥରେ ନିର୍ବାଚନ ପ୍ରଚାର ପାଇଁ ବିଜେଡି ଉଦ୍ୟମ କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି।
ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଓ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,‘ପିଠା’ ଯୋଜନା ପାଇଁ ଯେଉଁ ୪ ଶହ କୋଟି ଟଙ୍କାର ଅନୁଦାନ ରଖାଯାଇଛି ଏହା ବୋଧହୁଏ ବିଜେଡିର ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ସାରା ରାଜ୍ୟରେ ପ୍ରଚାର ପ୍ରସାର କରିବା ପାଇଁ  ରାଜକୋଷରୁ ବ୍ୟୟ ବରାଦର ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର ‘ବିଜୁ ଯୁବ ବାହିନୀ’ ପାଇଁ ରାଜ୍ୟ ରାଜକୋଷରୁ ୧୦୫ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟର ଟିକସଦାତାଙ୍କ ଅର୍ଥକୁ ବ୍ୟୟ କରି ନିଜ ଦଳର ସଂଗଠନକୁ ସୁଦୃଢ କରିବା ପାଇଁ ଏ ଯୋଜନା ।
ଏହି ବଜେଟ୍ ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରିବା ପରିବର୍ତ୍ତେ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି । ରାଜ୍ୟ ସରକାର ଆସନ୍ତା ନିର୍ବାଚନ ବୈତରଣୀ ପାର ହେବା ପାଇଁ ଏବଂ ଚାଷୀ, ନିମ୍ନ ମଧ୍ୟବିତ ଚାଷୀ ଏବଂ ଗ୍ରାମାଂଚଳର ବୟସ୍କ ବ୍ୟକ୍ତିମାନଙ୍କର ଭୋଟକୁ ହାତେଇବା ପାଇଁ ଯେଉଁ ବଜେଟ୍ର ବ୍ୟବସ୍ଥା କରିଛନ୍ତି, ତାହା ପ୍ରକୃତରେ ଚାଷୀମାନଙ୍କର ଆର୍ଥିକ ସ୍ଥିତିର ପରିବର୍ତନ ଆଣିବା ଅସମ୍ଭବ । ରାଜ୍ୟ ସରକାର କୃଷକମାନଙ୍କର ଋଣଛାଡ଼, ତାଙ୍କର ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି ନକରି, ଜଳସେଚନ ପାଇଁ ଅର୍ଥ ବ୍ୟୟବରାଦ ନକରିବା ଏବଂ ଚାଷୀର କୃଷିଜାତ ଦ୍ରବ୍ୟକୁ କିଭଳି ଭାବରେ ଶୀତଳ ଭଣ୍ଡାରରେ ସଂରକ୍ଷଣ କରାଯିବ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ କୃଷିଶିଳ୍ପର ବିକାଶ ପାଇଁ କୌଣସି ଠୋସ୍ ପଦକ୍ଷେପ ନେଇନାହାନ୍ତି ।
ତେଣୁ ରାଜ୍ୟ ସରକାର କାଳିଆ ଯୋଜନା ମାଧ୍ୟମରେ ଚାଷୀମାନଙ୍କର ଭୋଟ ହାତେଇବା ଛଡା ତାଙ୍କର ସର୍ବାଙ୍ଗୀନ ବିକାଶ ପାଇଁ କୌଣସି ବଜେଟ୍ର ଯୋଜନା କରିନାହାନ୍ତି । ରାଜ୍ୟର ନିଜସ୍ୱ ଆୟ ହ୍ରାସ ପାଇବାରେ ଲାଗିଛି ଏବଂ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ରାଜ୍ୟର ଋଣ ଭାର କ୍ରମାନ୍ୱୟରେ ବଢିଚାଲିଛି । ୨୦୧୯-୨୦ ସୁଦ୍ଧା ରାଜ୍ୟର ଋଣ ଭାର ୧ ଲକ୍ଷ ୧୦ ହଜାର କୋଟି ଟଙ୍କାରୁ ଅଧିକ ହେବ, ଯାହାକି ରାଜ୍ୟର ସାମଗ୍ରିକ ଉତ୍ପାଦନ (ଜିଏସ୍ଡିପି) ୨୦.୨୫ ପ୍ରତିଶତ ପାଖାପାଖି ହେବ ।  ଏଭଳି ପରିସ୍ଥିତିରେ ରାଜ୍ୟର ଋଣବୋଝ କ୍ରମାନ୍ୱୟରେ ବଢିଚାଲିଛି ।  ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ବିକାଶ, କର୍ମନିଯୁକ୍ତି ସୃଷ୍ଟି କରିବା ଏବଂ ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସେଭଳି କିଛି ଅର୍ଥ ବ୍ୟୟ ବରାଦ କରିନାହାନ୍ତି । ତେଣୁ ରାଜ୍ୟ ସରକାର ଶିକ୍ଷିତ ଯୁବକମାନଙ୍କୁ ବର୍ଷ ବର୍ଷ ଧରି ଉପେକ୍ଷିତ କରୁଛନ୍ତି । ବଜେଟ୍ରେ ରାଜ୍ୟର ସମ୍ପତ୍ତିି ସୃଷ୍ଟି କରିବା ପାଇଁ ସେଭଳି କିଛି ବ୍ୟବସ୍ଥା କରିନାହାନ୍ତି, ଯାହା ରାଜ୍ୟକୁ ଏକ ଶକ୍ତିଶାଳୀ ରାଜ୍ୟରେ ପରିଣତ କରିପାରିବ । ତେଣୁ ରାଜ୍ୟର ଯୁବକ, କୃଷକ ଏବଂ ମହିଳାମାନଙ୍କୁ ରାଜ୍ୟ ସରକାର ବାରମ୍ବାର ଠକି ଚାଲିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିଶିକାନ୍ତ ମିଶ୍ର, ରଜନୀ କୁମାର ମହାନ୍ତି, ମିଡିଆ ସଂଯୋଜକ ଦୀପକ ମହାପାତ୍ର, ପ୍ରଦୀପ ମହାପାତ୍ର, ଓମ୍ ପ୍ରକାଶ ସାହୁ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version