ରାଜ୍ୟ

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସାଇନ୍‌-ଏ-ଡାଏ

Posted on

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାଇନ୍‌-ଏ-ଡାଏ ଘୋଷଣା କରାଯାଇଛି। ଆସନ୍ତାକାଲି ସକାଳ ୧୦ ସୁଦ୍ଧା ହଷ୍ଟେଲ ଖାଲିକରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ଆଜି ଏହି ସୂଚନା ଦେଇଛନ୍ତି। କୁଳପତି କହିଛନ୍ତି-“ହଷ୍ଟେଲ ନବୀକରଣ ପାଇଁ ହଷ୍ଟେଲ ଛାଡ଼ିବାକୁ କୁହାଯାଇଥିଲା। ମାତ୍ର ଏଥିରେ ଛାତ୍ରଛାତ୍ରୀମାନେ ରାଜି ହେଉନାହାନ୍ତି। ହଷ୍ଟେଲ୍‌ ଛାଡିବା ବଦଳରେ ଆନ୍ଦୋଳନ କରୁଛନ୍ତି। ଆଜି ସକାଳ ସାଢ଼େ ୧୧ଟାଠାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲୁ। ମାତ୍ର ସେମାନେ କଥା ହେବାକୁ ରାଜି ହେଉନାହାନ୍ତି। ବର୍ତ୍ତମାନ ପ୍ରାୟ ୪୦୦ ପିଲା ଅଫିସ୍‌ ଘେରାଉ କରି ରଖିଛନ୍ତି। ଯାହାଫଳରେ କୌଣସି କର୍ମଚାରୀ ବାହାରି ପାରୁନାହାନ୍ତି। ତେଣୁ ବିକଳ୍ପ ବ୍ୟବସ୍ଥା ଭାବେ ସାଇନ୍‌-ଏ-ଡାଏ ଘୋଷଣା କରିବାକୁ ଆମେ ବାଧ୍ୟ ହେଲୁ। ବର୍ତ୍ତମାନ ସବୁ ପରୀକ୍ଷା ସରିଗଲାଣି। ଆଉ ଯେଉଁ କିଛି ପରୀକ୍ଷା ବାକି ରହିଛି, ତାହା ପରେ କରାଯିବ।” ହଷ୍ଟେଲ ନବୀକରଣ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆସନ୍ତା ୨୮ ସୁଦ୍ଧା ହଷ୍ଟେଲ ଛାଡିବାକୁ ନୋଟିସ୍ ଦେଇଥିଲେ। ଏହାକୁ ବିରୋଧ କରିଥିଲେ ଛାତ୍ରଛାତ୍ରୀ। ସେହିପରି ଚଳିତବର୍ଷଠାରୁ ଖୋଲାଯାଉଥିବା ୩ଟି ସେଲଫ୍ ଫାଇନାନ୍ସିଂ କୋର୍ସକୁ ମଧ୍ୟ ବିରୋଧ କରିଥିଲେ ଛାତ୍ରଛାତ୍ରୀ। ଏହାକୁ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ କୁଳପତିଙ୍କ ଅଫିସ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ପୋଲିସ କର୍ଡନରେ ଅଫିସ ଭିତରକୁ କୁଳପତି ଯାଇଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version