Latest

ଶିମିଳିପାଳ ନିଆଁ: ହାଇକୋର୍ଟରେ ମାମଲା

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଗତ ୧୫ଦିନ ଧରି ଶିମିଳିପାଳ ଜଙ୍ଗଲ ଜଳୁଥିବାବେଳେ ଏହି ପ୍ରସଙ୍ଗ ଏବେ ହାଇକୋର୍ଟରେ ପହଂଚିଛି । ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ନିଆଁ ଲିଭାଇବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଟାସ୍କଫୋର୍ସ ୯୫ ପ୍ରତିଶତ ନିଆଁ ଲିଭିଗଲାଣି ବୋଲି କହିଛନ୍ତି ।
ଆଜି ଟାସ୍କଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଗତ ୨୪ଘଣ୍ଟା ମଧ୍ୟରେ ଶତକଡ଼ା ୯୫ ଭାଗରୁ ଅଧିକ ସ୍ଥାନରେ ନିଆଁକୁ ଲିଭାଇ ଦିଆଯାଇଛି । ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ସାଧାରଣ ଲୋକମାନେ ବନ ବିଭାଗ ଓ ଅନ୍ୟ ବିଭାଗର କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ ରାଜ୍ୟ ସରକାର ନିବେଦନ କରିଛନ୍ତି । ବିଭିନ୍ନ ଅଂଚଳରେ ସ୍ଥାନୀୟ ବନଖଣ୍ଡ ଅଧିକାରୀ, ସ୍ଥାନୀୟ କୃଷି ଅଧିକାରୀଙ୍କ ସହାୟତାରେ ଜଙ୍ଗଲକୁ ଲାଗିଥିବା ଗାଁଗୁଡ଼ିକର କୃଷି ବର୍ଜ୍ୟବସ୍ତୁକୁ ନିଆଁ ଲଗାଇବା ପରିବର୍ତ୍ତେ ଆବଶ୍ୟକସ୍ଥଳେ ପାଣିଟାଙ୍କିର ବ୍ୟବହାର କରି ନିଆଁକୁ ଆୟତ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଗତ ଦୁଇଦିନ ମଧ୍ୟଗେ ନିଆଁ ଲାଗିଥିବା ସ୍ଥାନ ସଂଖ୍ୟା ୬୨୫୮ରୁ ୩୨୫୮କୁ ହ୍ରାସ ପାଇଛି । ସମଗ୍ର ରାଜ୍ୟରେ ନିଆଁ ଲିଭାଇବା ପାଇଁ ୧୦୦ଟି ଦଳ ନିୟୋଜିତ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ୍ରାଫ ଟିମକୁ ରାଜ୍ୟତମାମ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏହି ଓଡ୍ରାଫ ଟିମ୍ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ପହଂଚି ସାରିଛନ୍ତି ।
ଏହାପୂର୍ବରୁ ଆଜି ପୂର୍ବାହ୍ନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସବୁ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ବନଖଣ୍ଡ ଅଧିକାରୀଙ୍କ ସହ ବନରେ ନିଆଁ ଲାଗିବା ପରିସ୍ଥିତିର ସମୀକ୍ଷା କରିଛନ୍ତି । ନିଆଁ ଯେଭଳି ନବ୍ୟାପେ ସେଥିପାଇଁ ସମସ୍ତ ଉଦ୍ୟମ ଜାରି ରଖିବା ଓ ଯଥାଶୀଘ୍ର ରାତ୍ରିକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣାଧୀନ ରଖିବା ନିମନ୍ତେ ପଂଚାୟତର କର୍ମକର୍ତ୍ତା ଓ ଭେଟେନାରୀ ସେବା କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ଜଡ଼ିତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପକ୍ଷରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଜି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ନିଆଁ ଲିଭାଯାଉ ବୋଲି ଆବେଦନ କରାଯାଇଛି । ଜଙ୍ଗଲ ଜଳିବା ଯୋଗୁ ଜଳବାୟୁ ପ୍ରଭାବିତ ହେବାର ଆଶଙ୍କା ରହିଛି ଓ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ରହିଛି । ଜଙ୍ଗଲ ବିଭାଗର ସଚିବଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ଭାଗରେ ଥିବା ଜଙ୍ଗଲରେ ଏବେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହେବାରେ ଲାଗିଛି । ବିଶେଷକରି ଶିମିଳିପାଳରେ ଲାଗିଥିବା ନିଆଁକୁ ଓଡ୍ରାଫ ସହାୟତାରେ ଆୟତ୍ତାଧୀନ କରାଯାଇଛି ବୋଲି ସରକାର କହୁଥିଲେ ମଧ୍ୟ ଶିମିଳିପାଳ ଏବେବି ଜଳୁଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version