ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ । ମହାପ୍ରସାଦ ପ୍ରସ୍ତୁତି ଏବଂ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ନିଆଗଲା ନିଷ୍ପତ୍ତି । ଏଥିନିମନ୍ତେ ସଂପୃକ୍ତ ନିଯୋଗ ଗୁଡ଼ିକ ସହ ମଧ୍ୟ ଆଲୋଚନା ବେଳେ ସହମତି ପ୍ରକାଶ ପାଇବା ପରେ ଏହି ପରି ନିଷ୍ପତି ନିଆଯାଇଛି । ତେଣୁ ଶ୍ରୀମନ୍ଦିରରେ ଓମଫେଡ ଘିଅର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯଥେଷ୍ଟ ଘିଅ ମହଜୁଦ୍ ରଖିବାକୁ ଓ ଘିଅ ଦାମ୍ ହ୍ରାସ ପାଇଁ ଓମଫେଡ ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆବଶ୍ୟକତା ଦୃଷ୍ଟିରୁ ସ୍ୱତନ୍ତ୍ର ଡିପୋ ବ୍ୟବସ୍ଥା ପାଇଁ ଓମଫେଡ୍ ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠିରେ ଅନୁରୋଧ କରାଯାଇଛି ।
ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଡିପୋ କରାଗଲେ ଆବଶ୍ୟକତା ପୁରଣ ହେବା ସହ ଅପମିଶ୍ରିତ ଘିଅକୁ ମଧ୍ୟ ରୋକାଯାଇ ପାରିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଏଥି ସହିତ ଶ୍ରୀମନ୍ଦିର ମଧ୍ୟକୁ ଓମଫେଡ ବ୍ୟତୀତ ଯେପରି ଅନ୍ୟ କୌଣସି ଘିଅ ପ୍ରବେଶ ନ କରେ, ସେଥିପ୍ରତି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆର ମହାସୁଆର ନିଯୋଗକୁ ଜଣାଇ ଦିଆଯାଇଛି। ବରିଷ୍ଠ ସୁପରଭାଇଜର ଏବଂ କମାଣ୍ଡର ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କୌଣସି ପ୍ରକାର ବ୍ୟତିକ୍ରମକୁ ବରଦାସ୍ତ କରାଯିବ ନାହିଁ। ଏଣିକି ଅନ୍ୟ ଛାପ ଘିଅ ଶ୍ରୀମନ୍ଦିରକୁ ନେବାକୁ ଚେଷ୍ଟା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସତର୍କ କରି ଦେଇଛନ୍ତି।