ରାଜ୍ୟ

ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଜଷ୍ଟିସ୍ ମିଶ୍ର ଓ ନବୀନ

Posted on

ଭୁବନେଶ୍ୱର : ଦେଶର ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାର ଓଡ଼ିଶାରୁ ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ଥାନ ମିଳିଛି । ଇଂରାଜୀ ସମ୍ବାଦପତ୍ର ‘ଇଣ୍ଡିଆନ ଏକ୍ସପ୍ରେସ୍’ ପକ୍ଷରୁ ପ୍ରସ୍ତୁତ ଦେଶର ୧୦୦ଜଣ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ୪ ଓଡ଼ିଆ ଭାବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ପି.କେ.ମିଶ୍ରଙ୍କ ନାଁ ରହିଛି । ତାଲିକାରେ ଶୀର୍ଷ ୧୦ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଏକମାତ୍ର ଓଡ଼ିଆ ଭାବେ ଜଷ୍ଟିସ୍ ମିଶ୍ର ରହିଛନ୍ତି ।
ଇଣ୍ଡିଆନ୍ ଏକ୍ସପ୍ରେସ୍ ପକ୍ଷରୁ ପ୍ରସ୍ତୁତ ଦେଶର ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାର ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହିଥିବାବେଳେ ଦ୍ୱିତୀୟରେ ବିଜେପି ସଭାପତି ଅମିତ୍ ଶାହ ଓ ତୃତୀୟରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ସ୍ଥାନିତ କରାଯାଇଛି । ପୂର୍ବ ବର୍ଷ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ୍ ତୃତୀୟ ସ୍ଥାନରେ ଥିବାବେଳେ ତାଙ୍କୁୁ ପଛରେ ପକାଇ ଜଷ୍ଟିସ୍ ମିଶ୍ର ସେହି ସ୍ଥାନରେ ରହିଛନ୍ତି । ୬୪ବର୍ଷୀୟ ଜଷ୍ଟିସ୍ ମିଶ୍ରଙ୍କୁ ଦେଶର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାର ତୃତୀୟ ସ୍ଥାନରେ ସ୍ଥାନିତ କରି ‘ଇଣ୍ଡିଆନ୍ ଏକ୍ସପ୍ରେସ୍’ କହିଛି ଯେ, କାଲିଖୋ ପଲ୍ ବିବାଦଠୁ ଆରମ୍ଭ କରି ମେଡିକାଲ କଲେଜ ଲାଞ୍ଚ ଦୁର୍ନୀତି ପର୍ଯ୍ୟନ୍ତ ସେ ପ୍ରତ୍ୟେକ ଝଡ଼କୁ ମୁକାବିଲା କରିଛନ୍ତି । ତାଙ୍କର ୪ଜଣ ବରିଷ୍ଠ ସହଯୋଗୀ ଅପ୍ରତ୍ୟାଶିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ତାଙ୍କୁ ତୀବ୍ର ସମାଲୋଚନା କରିବା ତାଙ୍କ ପାଇଁ ସବୁଠୁ ବଡ଼ ପରୀକ୍ଷା ଥିଲା । ତଥାପି ପ୍ରଧାନ ବିଚାରପତି ଜଷ୍ଟିସ୍ ମିଶ୍ର ଦୃଢ଼ ଭାବେ ନିଜ ସ୍ଥାନ ବଜାୟ ରଖିଛନ୍ତି । ସେ ଅକ୍ଟୋବର ୨ତାରିଖରେ ଅବସର ନେବେ । ସାହିତ୍ୟ ଓ କବିତା ପ୍ରତି ତାଙ୍କର ଅଧିକ ରୁଚି ରହିଛି । କୋର୍ଟରୁମ୍ରେ ଏସବୁ ବିଷୟରେ ଯେତେବେଳେ ଆଲୋଚନା ହୁଏ ସେ ସକ୍ରିୟ ଭାବେ ଭାଗ ନେଇଥାନ୍ତି ।
ସେହିପରି ଦ୍ୱିତୀୟ ଓଡ଼ିଆ ଭାବେ ୭୧ବର୍ଷୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ୩୦ତମ ସ୍ଥାନ ରହିଛନ୍ତି । ଶ୍ରୀ ପଟ୍ଟନାୟକଙ୍କ ସମ୍ପର୍କରେ ଇଣ୍ଡିଆନ୍ ଏକ୍ସପ୍ରେସ୍ କହିଛି ଯେ, ଦୁର୍ନୀତି ପାଇଁ ଜିରୋ ଟଲରାନ୍ସ ଭାବମୂର୍ତ୍ତି ରଖିଥିବା ଶ୍ରୀ ପଟ୍ଟନାୟକ ଏବେ ବି ରାଜ୍ୟର ସବୁଠୁ ଉତ୍ତୁଙ୍ଗ ନେତା । ତାଙ୍କର ବିଜେଡି ଫେବୃୟାରୀ ମାସରେ ବିଜେପୁର ଉପନିର୍ବାଚନରେ ବିପୁଳ ଜନମତ ହାସଲ କରିଛି, ଯାହାକି ତାଙ୍କ ଦଳ ପାଇଁ ଅଗ୍ନି ପରୀକ୍ଷା ସଦୃଶ ଥିଲା । ଦୀର୍ଘ ୧୭ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ସେ ୪୪ଜଣ ମନ୍ତ୍ରୀଙ୍କୁ ଆର୍ଥିକ ଓ ବ୍ୟକ୍ତିଗତ ବିଶୃଙ୍ଖଳା ଅଭିଯୋଗରେ ମନ୍ତ୍ରିମଣ୍ଡଳରୁ ବିଦା କରିଛନ୍ତି । ରାଜ୍ୟରେ ବିଜେପି ସ୍ଥାନୀୟ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପରେ ଏହାକୁ ମୁକାବିଲା କରିବା ପାଇଁ ଏକଦା ଏକାନ୍ତ ରହୁଥିବା ମୁଖ୍ୟମନ୍ତ୍ରୀ ଏବେ ସାଧାରଣ ଲୋକ ଓ ଗଣମାଧ୍ୟମ ସହ ନିଜର ଭାବବିନିୟମକୁ ଅଧିକ ବୃଦ୍ଧି କରିଛନ୍ତି । ଜଣେ ଦକ୍ଷ ଲେଖକ ଭାବେ ନିଜର ପୁସ୍ତକ ‘ଦି ସେକେଣ୍ଡ ପାରାଡାଇଜ୍ : ଇଣ୍ଡିଆନ୍ କଣ୍ଟ୍ରି ଲାଇଫ୍ ୧୫୯୦-୧୯୪୭’ ଲେଖିଛନ୍ତି ଯାହାକୁ ତାଙ୍କର ଘନିଷ୍ଠ ବନ୍ଧୁ ଜ୍ୟାକ୍ଲିନେ କେନେଡି ଓନାସିସ୍ ସମ୍ପାଦନା କରିଛନ୍ତି ।
ସେହିପରି ତୃତୀୟ ଓଡ଼ିଆ ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ୪୯ବର୍ଷୀୟ ଧର୍ମେନ୍ଦ୍ର ପ୍ରଧାନ ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ୩୨ତମ ସ୍ଥାନରେ ରହିଛନ୍ତି । ତାଙ୍କ ସମ୍ପର୍କରେ ଇଣ୍ଡିଆନ୍ ଏକ୍ସପ୍ରେସ୍ ଲେଖିଛି ଯେ, ଓଡ଼ିଶାରେ ବିଜେପିର ଜଣେ ପରିଚିତ ଚେହେରା । ନବୀନ ପଟ୍ଟନାୟକଙ୍କ ୧୭ବର୍ଷର ଶାସନକୁ ସେ ମୁକାବିଲା କରିପାରିବେ ବୋଲି ଦଳ ଆଶା କରିଛି । ଡିଜେଲ ଦରକୁ ନିୟନ୍ତ୍ରଣମୁକ୍ତ କରିବା ଏବଂ ପେଟ୍ରୋଲ ଓ ଡିଜେଲ ଦରକୁ ଲୋକଙ୍କ ସାମୁହିକ ଆପତ୍ତି ବିନା ଦୈନିକ ସଂଶୋଧନ କରିବାରେ ତାଙ୍କର ମନ୍ତ୍ରଣାଳୟ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଓଡ଼ିଶାରେ ବିଜେପି ସ୍ଥାନୀୟ ନିର୍ବାଚନରେ ଭଲ ପ୍ରଦର୍ଶନ କରିବାରେ ତାଙ୍କର ଭୂମିକା ରହିଥିଲା । ୨୦୧୯ ବିଧାନସଭା ନିର୍ବାଚନରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି ବୋଲି ଦର୍ଶାଯାଇଛି ।
ସେହିପରି ଚତୁର୍ଥ ଓଡ଼ିଆ ଭାବେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ୭୩ବର୍ଷୀୟ ପି.କେ. ମିଶ୍ରଙ୍କୁ ସର୍ବାଧିକ ପ୍ରଭାବଶାଳୀଙ୍କ ତାଲିକାରେ ୪୪ତମ ସ୍ଥାନ ମିଳିଛି । ସେ ପ୍ରଶାସନିକ ନିଯୁକ୍ତି, ମନ୍ତ୍ରଣାଳୟର ନୀତିରେ ରହୁଥିବା ସମସ୍ୟାକୁ ଦୂର କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସହଯୋଗୀ ଭାବେ କାମ କରୁଛନ୍ତି । ଗୁଜରାଟର କ୍ୟାଡ଼ରର ଏହି ଆଇଏଏସ୍ ଅଫିସର୍ ପ୍ରଧାନମନ୍ତ୍ରୀଙ୍କ ସହ ଦୀର୍ଘଦିନ ଧରି ରହିଛନ୍ତି । ପଦ୍ମ ପୁରସ୍କାର ଚୟନ କମିଟିରେ ସେ ସଦସ୍ୟ ଅଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ସେ ପ୍ରମୁଖ ମନ୍ତ୍ରଣାଳୟର ବରିଷ୍ଠ ପ୍ରଶାସକ ଭାବେ ନେତୃତ୍ୱ ମଧ୍ୟ ନେଉଛନ୍ତି । ସର୍ବଦା ସାର୍ବଜନୀନ କାର୍ଯ୍ୟକ୍ରମରୁ ସେ ଦୂରେଇ ରହିବାକୁ ପସନ୍ଦ କରିଥାନ୍ତି । ସାର୍ବଜୀନନ କାର୍ଯ୍ୟକ୍ରମରେ ସାମିଲ ହେବାର ନିମନ୍ତ୍ରଣକୁ ମଧ୍ୟ ସେ ପ୍ରତ୍ୟାଖାନ କରିଥାନ୍ତି ବୋଲି ସମ୍ବାଦପତ୍ର କହିଛି ।
ସୂଚନାଯୋଗ୍ୟ ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ତାଲିକାରେ ପଞ୍ଚମ ସ୍ଥାନରେ ଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଷଷ୍ଠ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସପ୍ତମ, କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଅଷ୍ଟମ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନବମ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଦଶମ ସ୍ଥାନରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version