Latest

ସମ୍ପତ୍ତି ତାଲିକା ଦାଖଲ: ସରକାର ଦେଲେ ସ୍ପଷ୍ଟୀକରଣ, ୩୧ ସୁଦ୍ଧା ଦିଅ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ସରକାରୀ ଚାକିରିରେ ପଦୋନ୍ନତି ପାଇଁ ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲକୁ ପୂର୍ବ ସର୍ତ୍ତ ଭାବେ ବିବେଚନା କରାଯିବ ବୋଲି ରାଜ୍ୟ ସରକାର ଚଳିତମାସ ୧୨ତାରିଖରେ ନିର୍ଦ୍ଦେଶନାମା ଜାରି କରିବା ପରେ ସବୁ ବର୍ଗର କର୍ମଚାରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ଜାନୁୟାରୀ ୩୧ତାରିଖ ସୁଦ୍ଧା କିଭଳି ସମ୍ପତ୍ତି ତାଲିକା ଦାଖଲ ହେବ ଓ ଫେବୃୟାରୀ ୧୨ରେ ସରକାରଙ୍କ ନିର୍ଦ୍ଦେଶନାମା ଚଳିତବର୍ଷ ପାଇଁ ଉଦ୍ଦିଷ୍ଟ ନା ଆସନ୍ତାବର୍ଷ ପାଇଁ ତାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉପରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେଇଛନ୍ତି । ୨୦୨୦ ଏପ୍ରିଲରୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଅବଧି ପାଇଁ ସମ୍ପତ୍ତି ବିବରଣୀ ତାଲିକାକୁ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଦାଖଲ ନିମନ୍ତେ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଗଣେଶ ଚନ୍ଦ୍ର ପାତ୍ର ସମସ୍ତ ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି ଯେ, ଫେବୃୟାରୀ ୧୨ତାରିଖରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଜାରି ହେବା ପୂର୍ବରୁ ଓଡ଼ିଶା ସରକାରୀ କର୍ମଚାରୀ କଣ୍ଡକ୍ଟ ରୁଲସ-୧୯୫୯ର ରୁଲ୍ -୨୧ର ସବରୁଲ-୪ ଅନୁସାରେ କର୍ମଚାରୀମାନେ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ (ଏପ୍ରିଲ ପହିଲାରୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଅବଧି)କୁ ପ୍ରତିବର୍ଷ ଜୁଲାଇ ୩୧ତାରିଖ ମଧ୍ୟରେ ଦାଖଲ କରିଥାନ୍ତି । ତେବେ ଫେବୃୟାରୀ ୧୨ତାରିଖରେ ସରକାରଙ୍କ ପକ୍ଷରୁ ଜାରି ନୂଆ ନିର୍ଦ୍ଦେଶନାମାରେ ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲକୁ ପଦୋନ୍ନତିର ପୂର୍ବ ସର୍ତ୍ତ ଭାବେ ଗ୍ରହଣ କରାଯିବ ବୋଲି କୁହାଯିବାରୁ କର୍ମଚାରୀମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି । ସରକାରଙ୍କ ଏହି ନୂଆ ନିର୍ଦ୍ଦେଶନାମା କେବେଠୁ ଲାଗୁ ହେବ ସେଥି ନେଇ ଦ୍ୱନ୍ଦ୍ୱ ଦେଖାଯିବା ପରେ ସରକାର ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ସରକାର କହିଛନ୍ତି ଯେ, କର୍ମଚାରୀମାନେ ଚଳିତଥର ନିଜର ବାର୍ଷିକ ସମ୍ପତ୍ତି ବିବରଣୀକୁ ଜାନୁୟାରୀ ୩୧ ପରିବର୍ତ୍ତେ ମାର୍ଚ୍ଚ ୩୧ତାରିଖ ମଧ୍ୟରେ ଦାଖଲ କରିବେ । ଏହି ସମ୍ପତ୍ତି ବିବରଣୀ ୨୦୨୦ ଏପ୍ରିଲ ୧ରୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଅବଧିର ହୋଇଥିବା ଆବଶ୍ୟକ । ଆଉ ଏହାପରେ ୨୦୨୧ ଜାନୁୟାରୀ ୧ରୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଅବଧିର ବାର୍ଷିକ ବିବରଣୀକୁ ୨୦୨୨ ଜାନୁୟାରୀ ୩୧ସୁଦ୍ଧା ଦାଖଲ କରିବେ । ଯାହାକି ଭବିଷ୍ୟତରେ ପ୍ରତିବର୍ଷ ଜାନୁୟାରୀ ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଅବଧି ପାଇଁ ଉଦ୍ଦିଷ୍ଟ ରହିବ ।
ଯଦି କୌଣସି କର୍ମଚାରୀ ବା ଅଧିକାରୀ ନିଜର ବାର୍ଷିକ ସମ୍ପତ୍ତି ଦାଖଲ କରିବାରେ ବିଫଳ ହେବେ ତା’ହେଲେ ବିଭାଗୀୟ ପଦୋନ୍ନତି ସମୟରେ ତାହା ତାଙ୍କୁ ମହଙ୍ଗା ପଡ଼ିବ । କାରଣ ପଦୋନ୍ନତି ପାଇଁ ଆବଶ୍ୟକ ହେଉଥିବା ସରକାରୀ କର୍ମଚାରୀଙ୍କ ଆଚରଣକୁ ନେଇ ‘୫ବର୍ଷ ଅବଧି ମଧ୍ୟରେ ଅନ୍ୟାନ୍ୟ ଦସ୍ତାବିଜ ଦାଖଲ’ ବର୍ଗରେ ଏହା ଉଲ୍ଲେଖ ରହିବ ।
ସୂଚନାଯୋଗ୍ୟ,ଗତ ଡିସେମ୍ବର ମାସରେ ଅନୁଷ୍ଠିତ ବିଜେଡି କାର୍ଯ୍ୟକାରିଣୀରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସରକାରୀ କର୍ମଚାରୀ ଓ ଜନପ୍ରତିନିଧିଙ୍କୁ ବାର୍ଷିକ ସମ୍ପତ୍ତିକୁ ସାର୍ବଜନୀନ କରାଯିବ ବୋଲି କହିବାପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଫେବୃୟାରୀ ୧୨ତାରିଖରେ ଏକ ରିଜୋଲ୍ୟୁସନ ଜାରି ହୋଇଥିଲା । ଯେଉଁଥିରେ ରାଜ୍ୟ ସରକାରଙ୍କ ସବୁ ବର୍ଗର ସରକାରୀ କର୍ମଚାରୀ ଓ ଅଫିସରଙ୍କ ପଦୋନ୍ନତିବେଳେ ସେମାନଙ୍କର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲକୁ ଏକ ପୂର୍ବ ସର୍ତ୍ତାବଳୀ ଭାବେ ବିବେଚନା କରାଯିବ ଦର୍ଶାଯାଇଥିଲା । ସେହିପରି ଯଦି ସେମାନେ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ତାଲିକା ପୈଠ ନକରିଥିବେ ତା’ହେଲେ ଏଚଆରଏମଏସରେ ଅନଲାଇନରେ ସେମାନଙ୍କର ବାର୍ଷିକ ପ୍ରଦର୍ଶନ ରିପୋର୍ଟ ଦାଖଲ ମଧ୍ୟ ସମ୍ଭବପର ହୋଇପାରିବ ନାହିଁ ବୋଲି ସରକାର କହିଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version