Latest

ସୁରମା ପାଢ଼ୀ ହେଲେ ଓଡ଼ିଶା ବିଧାନସଭାର ବାଚସ୍ପତି

Posted on

ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ରଣପୁର ବିଧାୟିକା ସୁରମା ପାଢ଼ୀ । ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ନିର୍ବାଚିତ ହୋଇଛନ୍ତି ସୁରମା। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ ପରେ ବାଚସ୍ପତି ଗୃହ ପରିଚାଳନା କରିଛନ୍ତି। ଓଡ଼ିଶା ବିଧାନସଭାରେ ଗୃହ ପରିଚାଳନା କରିବେ ଆଉ ଜଣେ ମହିଳା ।ଏହି ଗୁରୁଦାୟିତ୍ୱ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି ବାଚସ୍ପତି ।

ସେ ଆଉ ମଧ୍ଯ କହିଛନ୍ତି ମୁଁ ଜଣେ ସାଧାରଣ ପରିବାରର ଝିଅ । ରାଜନୀତି କ୍ଷେତ୍ରରେ ଆସିବା ଓ କାର୍ଯ୍ୟ କରିବା କ୍ଷେତ୍ରରେ କେବେ କଳ୍ପନା ମଧ୍ୟ କରିନଥିଲି ଯେ, ଏଭଳି ପବିତ୍ର ଗୃହର ପରିଚାଳନା କରିବାର ଦାୟିତ୍ୱ ମିଳିବ ବୋଲି । ସମସ୍ତଙ୍କର ପରାମର୍ଶ ଅନୁଯାୟୀ, ପବିତ୍ର ଗୃହର ପଦମର୍ଯ୍ୟାଦା, ସମ୍ମାନ ଓ ଗାରିବା ରକ୍ଷା କରିବା ବଡ ଦାୟିତ୍ୱ । ଏହା ମୋର ଏବଂ ଗୃହର ସମସ୍ତ ସଦସ୍ୟଙ୍କର କର୍ତ୍ତବ୍ୟ । ଗୃହର ସୁପରିଚାଳନା ପାଇଁ ସମସ୍ତ ଦଳର ନେତା ସହଯୋଗ କରିବେ ବୋଲି ଆଶା ରଖିଛି ।

ଦଳମତ ନିର୍ବିଶେଷରେ ସାଢେ ୪ କୋଟି ଓଡ଼ିଆ, ଓଡ଼ିଶାର ବିକାଶ ପାଇଁ ଏଠାକୁ ସମସ୍ତ ସଦସ୍ୟଙ୍କୁ ପଠାଇଛନ୍ତି । ସମସ୍ତଙ୍କ ସହଯୋଗରେ ଗୃହ ପରିଚାଳନା କରିବାକୁ ସମର୍ଥ ହେବି ବୋଲି କହିଛନ୍ତି ବାଚସ୍ପତି ସୁରମା ପାଢୀ ।ସୁରମା ଭାଜପାର ଜଣେ ବରିଷ୍ଠ ଏବଂ ଅଭିଜ୍ଞ ନେତ୍ରୀ ଭାବେ ଜଣାଶୁଣା। ସେ ପୂର୍ବରୁ ମଧ୍ୟ ବିଜେଡି-ଭାଜପା ମେଣ୍ଟ ସରକାର ସମୟରେ ନିର୍ବାଚିତ ହୋଇ ମନ୍ତ୍ରୀ ଥିଲେ। ତେଣୁ ସେହି ଦୃଷ୍ଟିରୁ ଦଳ ଜଣେ ମହିଳା ଏବଂ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କ ଉପରେ ଭରସା କରି ଏହି ପଦବୀରେ ଅଧିଷ୍ଠିତ କରିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version