ରାଜ୍ୟ
ସେକ୍ସ ର୍ୟାକେଟ ଚାଲିଥିବାବେଳେ ପୁଲିସର ଚଢ଼ଉ
ଭୁବନେଶ୍ୱର, ଓଡ଼ିଶା ୱେୟାର:ରାଜଧାନୀ ଭୁବନେଶ୍ୱରରେ ଚାଲିଥିଲା ସେକ୍ସ ରାକେଟ୍। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଏହି ସେକ୍ସ ରାକେଟ୍ ଚାଲିଥିଲା। ପୁଲିସ୍ ଚଢ଼ାଉ କରି ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୨ଜଣ ଗ୍ରାହକ ଓ ଜଣେ ମହିଳାଙ୍କୁ ଗିରଫ କରିଛି।
ପୂରା ଘଟଣାକୁ ନେଇ ଲକ୍ଷ୍ମୀସାଗର ଆଇଆଇସି ଭରତ ସାହୁ କହିଛନ୍ତି ଯେ ବଡ଼ଗଡ଼ କେନାଲ ରୋଡରେ ଥିବା ସାଇ ଶ୍ରୀ ଏନକ୍ଲେଭରେ କିଛି ଦିନ ଧରି ସେକ୍ସ ରାକେଟ୍ ଚାଲିଥିବାର ଖବର ପୁଲିସ ଜାଣିବାକୁ ପାଇଥିଲା। ଆପାର୍ଟମେଣ୍ଟର କିଛି ସଦସ୍ୟ ଏନେଇ ପୁଲିସକୁ ଅବଗତ କରାଇଥିଲେ। ଯାହା ପରେ ପୁଲିସ୍ ଏହି ଆପାର୍ଟମେଣ୍ଟ ଉପରେ କିଛି ଦିନ ହେବ କଡ଼ା ନଜର ରଖିଥିଲା।
ତେବେ ମଙ୍ଗଳବାର କିଛି ଅଜଣା ପୁଅ ଓ ଝିଅ ସେହି ଫ୍ଲାଟରେ ଥିବାର ଖବର ପାଇ ପୁଲିସ ସେଠି ରେଡ୍ କରିଥିଲା। ଫ୍ଲାଟରେ ଦୁଇ ଜଣ ଝିଅ ଏବଂ ଦୁଇ ଜଣ ଅଜଣା ପୁଅ ଥିଲେ। ସେଥିମଧ୍ୟରୁ ଦୁଇ ଜଣ ପୁଅ ଗଞ୍ଜାମର ହୋଇଥିବା ବେଳେ ଦୁଇ ଝିଅଙ୍କ ମଧ୍ୟରୁ ଜଣେ ପୁରୀର ଏବଂ ଆଉଜଣେ କେନ୍ଦ୍ରାପଡ଼ାର ହୋଇଥିବା ଆଇଆଇସି ଭରତ ସାହୁ ସୂଚନା ଦେଇଛନ୍ତି।
ପୁଲିସ୍ ହାତରେ ମଧ୍ୟ ସେମାନଙ୍କର ଏଭଳି ଅନୈତିକ କାମରେ ଲିପ୍ତ ଥିବାର ସବୁ ପ୍ରମାଣ ରହିଛି। ଏହି ଘଟଣାରେ ପୁଲିସ୍ ଦୁଇଜଣ ଗ୍ରାହକଙ୍କୁ ଏବଂ ଯିଏ ଏହି ସେକ୍ସ ରାକେଟ୍ ଚଳାଇଥିଲେ ସେହି ମହିଳାଙ୍କୁ ଗିରଫ କରିଛି। ଏହି ଫ୍ଲାଟକୁ ମହିଳା ଜଣକ ନିଜ ମା’ଙ୍କ ନାଁରେ କରିଥିବା ପୁଲିସ୍ ସୂଚନା ଦେଇଛି।