Latest
ସ୍କୁଲ ପିଲାଟିର ଟ୍ୱିଟ୍ ପରେ ବଦଳିଲା ‘ମୋ ବସ୍’ ସମୟ
ଭୁବନେଶ୍ୱର(ଓଡ଼ିଶା ୱେୟାର): ଶୀର୍ଷକ ପଢ଼ିଲା ପରେ ଆପଣଙ୍କୁ ହୁଏତ ବିଶ୍ୱାସ ହେଉନଥିବ, କିନ୍ତୁ ଏହା ସତ । ରାଜଧାନୀ ଭୁବନେଶ୍ୱରରେ ସେବା ଯୋଗାଉଥିବା ‘ମୋ ବସ୍ ’ ଏକ ନିର୍ଦ୍ଦିଷ୍ଟ ମାର୍ଗରେ ନିଜର ଚଳପ୍ରଚଳର ସମୟରେ ପରିବର୍ତ୍ତନ କରିଛି । ତା’ପୁଣି ଜଣେ ସ୍କୁଲ ଛାତ୍ରର ଟ୍ୱିଟ୍ ଆଧାରରେ ।
ଦୀର୍ଘ ୯ମାସ ପରେ ସ୍କୁଲ ଖୋଲିବାପରେ ଭୁବନେଶ୍ୱରର ଏମବିଏସ୍ ପବ୍ଲିକ ସ୍କୁଲରେ ପଢ଼ୁଥିବା ଜଣେ ଛାତ୍ର ସାଇ ଅନ୍ୱେଷ ଅମୃତମ ପ୍ରଧାନ ଟ୍ୱିଟ୍ ମାଧ୍ୟମରେ ‘ମୋ ବସ୍ ’ ସମୟରେ ପରିବର୍ତ୍ତନ ଯୋଗୁ ସେ ଠିକ୍ ସମୟରେ ସ୍କୁଲ ପହଂଚିବା ସମ୍ଭବପର ହେଉନଥିବା ନେଇ ‘କ୍ରୁଟ୍ ଭୁବନେଶ୍ୱର’ ଓ ଏହାର ମୁଖ୍ୟ ଅରୁଣ ବ୍ରୋଥାଙ୍କୁ ଗତକାଲି(ଶୁକ୍ରବାର) ଅବଗତ କରିଥିଲେ । ଆଉ ଏହି ଟ୍ୱିଟ୍ ଉପରେ ତତ୍କାଳ ପଦକ୍ଷେପ ନେଇ ଛାତ୍ରଙ୍କ ସୁବିଧା ନିମନ୍ତେ ଆସନ୍ତା ସୋମବାରଠାରୁ ସେହି ନିର୍ଦ୍ଦିଷ୍ଟ ମାର୍ଗରେ ଚଳପ୍ରଚଳ କରୁଥିବା ‘ମୋ ବସ’ର ସମୟରେ ପରିବର୍ତ୍ତନ କରିଛନ୍ତି । ଶ୍ରୀ ବୋଥ୍ରା ନିଜେ ଆଜି ଟ୍ୱିଟ୍ କରି ଏହି ସୂଚନା ମଧ୍ୟ ଦେଇଛନ୍ତି ।
ସୂଚନା ଅନୁସାରେ, ଏମବିଏସ୍ ପବ୍ଲିକ ସ୍କୁଲର ଛାତ୍ର ଶ୍ରୀ ପ୍ରଧାନ ଟ୍ୱିଟ୍ ମାଧ୍ୟମରେ ‘କ୍ରୁଟ୍ ଭୁବନେଶ୍ୱର’ ଓ ଏହାର ପରିଚାଳନା ନିର୍ଦ୍ଦେଶକ ଅରୁଣ ବ୍ରୋଥାଙ୍କୁ ଜଣାଇଥିଲେ ଯେ, ଦୈନିକ ସ୍କୁଲ ଯିବା ପାଇଁ ସେ ମୋ ବସ୍ ସେବା ଉପଯୋଗ କରନ୍ତି । କିନ୍ତୁ ଏବେ ବସ୍ ସମୟରେ ପରିବର୍ତ୍ତନ ହୋଇଯାଇଛି । ତାଙ୍କର ସ୍କୁଲରେ ରିପୋର୍ଟିଂ କରିବା ସମୟ ସକାଳ ସାଢ଼େ ୭ଟା ହୋଇଥିବାବେଳେ ସେ ରହୁଥିବା ଲିଙ୍ଗିପୁର ଦେଇ(ରୁଟ୍ ନମ୍ବର-୧୩) ପ୍ରଥମ ବସ୍ ସକାଳ ୭ଟା ୪୦ମିନିଟରେ ଲିଙ୍ଗିପୁରରୁ ଛାଡ଼ୁଛି । ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିଲେ ।
ଆଉ ଛାତ୍ର ଶ୍ରୀ ପ୍ରଧାନଙ୍କର ଗତକାଲିର ଏହି ଟ୍ୱିଟ୍ ଉପରେ ଆଜି ସକାଳେ କ୍ରୁଟ୍ (କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ) ପ୍ରତିକ୍ରିୟା ଦେଇ ଏହା ଉପରେ ଯାହାକିଛି କରାଯାଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଥିଲା । ତେବେ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଅରୁଣ ବ୍ରୋଥା ଆଜି ଅପରାହ୍ନରେ ଟ୍ୱିଟ୍ ମାଧ୍ୟମରେ ସମ୍ପୃକ୍ତ ସ୍କୁଲ ଛାତ୍ର ଶ୍ରୀ ପ୍ରଧାନଙ୍କୁ ସେହି ରୁଟ୍ରେ ଚାଲୁଥିବା ବସ୍ର ସମୟରେ ପରିବର୍ତ୍ତନ କରାଯାଇଛି ଓ ସ୍କୁଲ ପହଂଚିବାରେ ବିଳମ୍ବ ହେବ ନାହିଁ ବୋଲି ଜଣାଇଛନ୍ତି । ପ୍ରଥମ ବସ୍ ସକାଳ ୭ଟାରେ ଛାଡ଼ିବ ବୋଲି ସେ କହିଛନ୍ତି ।
କ୍ରୁଟ୍ ଭୁବନେଶ୍ୱରର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବୋଥ୍ରାଙ୍କର ଏଭଳି ପଦକ୍ଷେପକୁ ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା କରାଯାଇଛି ।