ରାଜ୍ୟ

୨ ଲୁହାପଥର ଖଣିର ଇ-ନିଲାମୀ ଉପରେ କଟକଣା

Posted on

ଭୁବନେଶ୍ୱର: ରାଜ୍ୟର ୨ଟି ଲୁହାପଥର ଖଣିର ଇ-ନିଲାମୀ ପ୍ରକ୍ରିୟା ଉପରେ ଦିଲ୍ଲୀ ହାଇକୋର୍ଟ କଟକଣା ଜାରି କରିଛନ୍ତି । ଏହା ସହିତ କେନ୍ଦ୍ର ସରକାରଙ୍କୁ ୧୫ଦିନ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏମ୍ଏମ୍ଡିଆର ଆକ୍ଟ-୧୯୫୭ର ଧାରା ୬(୧) ଅନ୍ତର୍ଗତ ନିଲାମୀ ଦସ୍ତାବିଜରେ ପାରଦର୍ଶିତା ନଥିବା ଦର୍ଶାଇ ଦିଲ୍ଲୀ ହାଇକୋର୍ଟ ଏହି ନିଲାମୀ ଉପରେ କଟକଣା ଜାରି କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ଚାନ୍ଦିପୋଷି ଓ ପୁରେହିବାହଲ ଲୁହାପଥର ଖଣିର ଇ-ନିଲାମୀ ମେ’ ୫ ଓ ୮ତାରିଖରେ ହେବାର ଥିଲା ।
ସୂଚନା ଅନୁସାରେ, ପ୍ରଚଳିତ ନିଲାମୀ ନିୟମ ଅନୁସାରେ ଯଦି କୌଣସି କମ୍ପାନୀ ୧୦ବର୍ଗ କିମିରୁ ଊଦ୍ଧ୍ୱର୍ ଖଣିଜ ଅଞ୍ଚଳର ଲିଜ୍ ପାଇଥିବେ ତା’ହେଲେ ସେ ଇ-ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇପାରିବେ ନାହିଁ । ଦିଲ୍ଲୀ ହାଇକୋର୍ଟ ମେ’ ୪ତାରିଖରେ ମାମଲାର ଶୁଣାଣିବେଳେ କୌଣସି କମ୍ପାନୀର ନାଁ ନନେଇ କହିଛନ୍ତି ଯେ ଇ-ନିଲାମୀରେ ସାମିଲ ହୋଇଥିବା ଜଣେ ବିଡର୍ ନିର୍ଦ୍ଧାରିତ ୧୦ବର୍ଗ କିମିରୁ ଊଦ୍ଧ୍ୱର୍ ଅଞ୍ଚଳର ଖଣି ଲିଜ୍ ପୂର୍ବରୁ ପାଇସାରିଥିବାରୁ ଏହି ଦୁଇ ଖଣିର ଇ-ନିଲାମୀରେ ସାମିଲ ହେବାକୁ ଯୋଗ୍ୟ ନୁହଁନ୍ତି । ମେ’ ୫ ଓ ୮ରେ ହେବାକୁ ଥିବା ସୁନ୍ଦରଗଡ଼ର ଏହି ଦୁଇ ଲୁହା ଖଣିର ଇ-ନିଲାମୀରେ ୧୭ଟି କମ୍ପାନୀ ଆଗ୍ରହ ପ୍ରଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ ନିକଟରେ ଓଡ଼ିଶା ସରକାର ଇ-ନିଲାମୀ ପାଇଁ ଧାର୍ଯ୍ୟ ୧୦ବର୍ଗ କିମି ଖଣି ଅଞ୍ଚଳର ସର୍ତ୍ତାବଳୀରେ କୋହଳ କରି ଏହାକୁ ୭୫ବର୍ଗ କିମି ପର୍ଯ୍ୟନ୍ତ ବୃଦ୍ଧି ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ଖଣି ଅଞ୍ଚଳ ୭୫ବର୍ଗ କିମିକୁ ବୃଦ୍ଧି ସର୍ତ୍ତାବଳୀ ପାଇଁ ୨୦୧୮ ମାର୍ଚ୍ଚ ୧୩ରେ ଓଡ଼ିଶା ସରକାରଙ୍କ ସୁପାରିସ୍କୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ନୁହେଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି । ର୍ ଏହି ମାମଲାରେ ଇ-ନିଲାମୀ ଉପରେ ଅସ୍ଥାୟୀ କଟକଣା ଜାରି କରିବା ସହ ଓଡ଼ିଶା ସରକାରଙ୍କ ସୁପାରିସ୍ ଉପରେ ନିଷ୍ପତ୍ତି ନେବା ନିମନ୍ତେ ଦିଲ୍ଲୀ ହାଇକୋର୍ଟ ଗତକାଲି କେନ୍ଦ୍ର ସରକାରଙ୍କୁ ୧୫ଦିନର ସମୟ ଦେଇଛନ୍ତି । ସୂଚନାଯୋଗ୍ୟ ଓଡ଼ିଶା ସରକାରଙ୍କ ଏହି ସୁପାରିସ୍ ଟାଟା ଷ୍ଟିଲ ଭଳି କମ୍ପାନୀକୁ ଅଧିକ ଫାଇଦା ଦେବ । କାରଣ ଟାଟା ଷ୍ଟିଲ୍ ପାଖରେ ଏବେ ରାଜ୍ୟରେ ୬ଟି ଲୁହାପଥର ଓ ମାଙ୍ଗାନିଜ ଖଣିର ଲିଜ୍ ରହିଛି, ଯାହାର ଆକାର ୫୦ବର୍ଗ କିମିରୁ ଊଦ୍ଧ୍ୱର୍ ହେବ । କେବଳ ଏହି ସର୍ତ୍ତାବଳୀ ଯୋଗୁ ପୂର୍ବରୁ ଓଡ଼ିଶା ସରକାରଙ୍କ ଦ୍ୱାରା ହୋଇଥିବା ଇ-ନିଲାମୀରେ ସାମିଲ ହେବାରେ ବିଫଳ ହୋଇଥିଲା ।

Leave a Reply

Your email address will not be published. Required fields are marked *

Most Popular

Exit mobile version