ରାଜ୍ୟ
୩ ଏନଏସିରେ ଏପ୍ରିଲ ୩ରେ ଭୋଟ୍
ଭୁବନେଶ୍ୱର : ରାଜ୍ୟର ୩ଟି ବିଜ୍ଞାପିତ ଅଂଚଳ ପରିଷଦ(ଏନଏସି)ରେ ଆସନ୍ତା ଏପ୍ରିଲ ୩ ତାରିଖରେ ଭୋଟ୍ ଗ୍ରହଣ ହେବ । ଆଜି ଏନେଇ ରାଜ୍ୟ ନିର୍ବାଚନ କମିଶନ ଆନୁଷ୍ଠାନିକ ଘୋଷଣା କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନର ନବ କୁମାର ନାୟକ କହିଛନ୍ତି ଯେ ନୂଆପଡ଼ା, ହିନ୍ଦୋଳ ଓ ଅତାବିରା ଏନଏସିର ମୋଟ ୪୨ଟି କାଉନସିଲର ପଦ ପାଇଁ ନିର୍ବାଚନ ହେବ । ଆଜି ଏନେଇ କାର୍ଯ୍ୟସୂଚୀ ଘୋଷଣା ହୋଇଛି । ଚୂଡ଼ାନ୍ତ କାର୍ଯ୍ୟସୂଚୀ ଅନୁସାରେ ମାର୍ଚ୍ଚ ୯ ତାରିଖରେ ସ୍ଥାନୀୟ ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାଚନ ଅଧିକାରୀ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରିବେ । ମାର୍ଚ୍ଚ ୧୩ରୁ ୧୭ ତାରିଖ ମଧ୍ୟରେ ପ୍ରତ୍ୟେକ ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ଓ ମାର୍ଚ୍ଚ ୧୯ତାରିଖରୁ ପ୍ରାର୍ଥୀପତ୍ର ଯାଂଚ ପ୍ରକ୍ରିୟା ଆରମ୍ଭ ହେବ । ମାର୍ଚ୍ଚ ୨୦ତାରିଖ ପୂର୍ବାହ୍ନରେ ବୈଧ ପ୍ରାର୍ଥୀଙ୍କ ତାଲିକା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ । ମାର୍ଚ୍ଚ ୨୨ ତାରିଖ ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥୀମାନେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଂଚି ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ । ମାର୍ଚ୍ଚ ୨୨ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ବିଜେପୁର ଉପନିର୍ବାଚନ ପରେ ଓ ସାଧାରଣ ନିର୍ବାଚନ ପୂର୍ବରୁ ଏହି ୩ଟି ଏଏନସିରେ ନିର୍ବାଚନ ମଧ୍ୟ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଏପ୍ରିଲ ୧୨ତାରିଖରେ ଏସବୁ ଏନଏସିର କାର୍ଯ୍ୟକାଳ ଶେଷ ହେଉଛି । ଏହା ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ନାୟକ ଆଜି ସମସ୍ତ ଦଳର ପ୍ରତିନିଧିଙ୍କ ସହ ନିର୍ବାଚନ ପ୍ରସଙ୍ଗରେ ବୈଠକ କରିଥିଲେ ।