Latest

୩ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥାର ମାଲିକାନା ଟାଟା ଗ୍ରୁଫକୁ ହସ୍ତାନ୍ତର ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ସମସ୍ତ ନୀତି ନିୟମକୁ ଉଲ୍ଲଘଂନ କରି ସେସୁ, ସାଉଥକୋ ଓ ୱେସ୍କୋ ଭଳି ସଂସ୍ଥାକୁ ଟାଟା କମ୍ପାନୀ ସମୂହକୁ ବିକ୍ରି କରିବା ରାଜ୍ୟସ୍ୱାର୍ଥ ବିରୋଧି ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି ।
କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ, ସାରା ଭାରତବର୍ଷରେ ଇଲେକ୍ଟ୍ରୋନିକ୍ ବିଡିଂ ଚାଲିଥିବା ସମୟରେ ଓଇଆରସି ଏଠାରେ ଫିଜିକାଲି ବିଡକୁ ଅନୁମତି ଦେଲେ । ଇଲେକ୍ଟ୍ରିସିଟି ଅଧିନିୟମ ୨୦ ଓ ୬୦ କୁ ଅବମାନନା କରି ଗୋଟିଏ ବିଡରକୁ କେଉଁ ପରିସ୍ଥିତିରେ ଓଇଆରସି,ଟାଟାର ସିଙ୍ଗିଲ୍ ବିଡିଂକୁ ଅନୁମତିି ଦେଲା ବୋଲି ପ୍ରଶ୍ନ କରିଛନ୍ତି । ବିଦ୍ୟୁତ ନିୟମ ୨୦୦୩ ର ଧାରା ୨୦ ଅନୁଯାୟୀ ଏହା ସ୍ପଷ୍ଟ ଉଲ୍ଲେଖ ଅଛି ଯେ ଜଣେ ବିଡର ଗୋଟିଏ ସଂସ୍ଥାକୁ ଦୁଇଟି କମ୍ପାନୀକୁ ବିକ୍ରି କରିପାରିବ ନାହିଁ । ସେହିଭଳି ବିଦ୍ୟୁତ୍ ନିୟମ ଧାରା ୬୦ ରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ କୌଣସି ଗୋଟିଏ ଘରୋଇ ସଂସ୍ଥା ସମସ୍ତ ବିଦ୍ୟୁତ୍ ବଜାରକୁ ନିୟନ୍ତ୍ରଣ କରିପାରିବ ନାହିଁ । ତେଣୁ ଏଥିରେ ବେନିୟମ ଭାବରେ ଗଫଲତି ହୋଇଥିବାର ସ୍ପଷ୍ଟ ଅନୁମେୟ ହେଉଛି । ଆଦାନୀ ପାୱାର, ଟେରେଂଟ, ଷ୍ଟେରଲାଇଟ୍‌, ସିଇଏସଇ (କଲିକତା) ଭଳି କମ୍ପାନୀମାନେ ମୂଲ୍ୟ ନିର୍ଦ୍ଧାରଣ ଏବଂ ଆକଳନ ପାଇଁ ୨ ମାସର ସମୟ ଲିଖିତ ଭାବରେ ମାଗିବାରୁ ସେମାନଙ୍କୁ କାହିଁକି ଦିଆଗଲା ନାହିଁ? ୪ଟି ଡିସ୍‌କମ୍ କମ୍ପାନୀର ବାର୍ଷିକ କାରବାର ୧୧ ହଜାର କୋଟି ଟଙ୍କା । ଏହାସହିତ ଏମାନଙ୍କ ପାଖରେ ଥିବା ସମ୍ପତ୍ତିର ମୂଲ୍ୟ ୧୫ ହଜାର କୋଟି ଟଙ୍କା ଥିବା ସତ୍ତ୍ୱେ ଉକ୍ତ କମ୍ପାନୀଗୁଡିକୁ ୨୫ ବର୍ଷ ପାଇଁ କିପରି ଭାବରେ ଟାଟା କମ୍ପାନୀକୁ ୧ ହଜାର କୋଟି ଟଙ୍କାରୁ କମ୍ ମୂଲ୍ୟରେ ବିକ୍ରୀ କରିଦିଆଯାଉଛି? ୪ଟି ଡିସକମ୍ କମ୍ପାନୀର କର୍ମଚାରୀମାନଙ୍କ ପାଖରେ ଥିବା ୧୦ ପ୍ରତିଶତ ଅଂଶଧନକୁ ସରକାର କେଉଁ ପରିସ୍ଥିତିରେ ରଦ୍ଦ କରିଦେଲେ? ୪୦ ହଜାର ଆଉଟ୍‌ସୋର୍ସିଂ କର୍ମଚାରୀମାନଙ୍କର ଭବିଷ୍ୟତ ପ୍ରତି ସରକାର କାହିଁକି ଚିନ୍ତା କଲେନାହିଁ? ରାଜ୍ୟ ଉପଦେଷ୍ଟା କମିଟି ଏବଂ ଅନ୍ୟାନ୍ୟ ସେୟାରହୋଲଡରଙ୍କ ପରାମର୍ଶ କାହିଁକି ନିଆଗଲା ନାହିଁ? ଦେଶ ଏବେ କୋଭିଡ୍ ଜନିତ ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ ନିୟାମକ ଆୟୋଗ ଖୁବ୍ ତରବରିଆ ଭାବେ ଘରୋଇ କମ୍ପାନୀକୁ ଆହ୍ୱାନ କରିବା ଅତ୍ୟନ୍ତ କ୍ଷୋଭର ବିଷୟ । ଏ ସଂପର୍କରେ ଅନ୍ୟମାନଙ୍କ ପରାମର୍ଶକୁ ବେଖାତିର କରି ଟାଟା କମ୍ପାନୀ ପ୍ରତି ଦରଦ ଦେଖାଇବା ଉଦ୍ଦେଶ୍ୟ ପ୍ରଣୋଦିତ । ବିଭିନ୍ନ ଶିଳ୍ପସଂସ୍ଥା ଉପରେ ଥିବା ବକେୟାକୁ ଖୁବ୍‌ଶୀଘ୍ର ଆଦାୟ କରାଯାଉ ଏବଂ ରାଜ୍ୟବାସୀଙ୍କୁ ସୁହାଇଲା ଭଳି ଏକ ନୂଆ ନିୟମ ପ୍ରଣୟନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମାଝୀ କହିଛନ୍ତି । ରାଜ୍ୟର ସଂପତ୍ତିକୁ ଟାଟା କମ୍ପାନୀ ହାତରେ ଟେକିଦେବା ଉଦ୍ୟମରୁ ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ବିରତ ରୁହନ୍ତୁ ବୋଲି କଂଗ୍ରେସ ଦାବି କରୁଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ରଶ୍ମି ମହାପାତ୍ର, ସ୍ମୃତିରେଖା ପହି ଓ ଆଇନଜୀବୀ ଆକାଶ ଭୂୟାଁ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version