ରାଜ୍ୟ
୧୦ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ: ସବୁ ନଦୀ କଡ଼ରେ ଲାଗିବ ଗଛ
ଭୁବନେଶ୍ୱର(ଓଡବ୍ଲ୍ୟୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସାମ୍ବାଦିକମାନଙ୍କୁ କ୍ୟାବିନେଟର ୫ଟି ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇଥିବାବେଳେ ଆଉ ୫ଟି ପ୍ରସ୍ତାବକୁ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ରେ ଘୋଷଣା କରାଯିବ ବୋଲି କହିଛନ୍ତି।ସେ କହିଛନ୍ତି ଯେ, ସବୁଜ ମହାନଦୀ ମିଶନ ଅନ୍ତର୍ଗତ ମହାନଦୀ ଓ ତାର ଶାଖା ନଦୀର ଉଭୟ ପାଶ୍ୱର୍ରେ ଯେଭଳି ବନୀକରଣ କରାଯାଉଛି ଠିକ୍ ସେଭଳି ବୈତରଣୀ, ବ୍ରାହ୍ମଣୀ, ଋଷିକୁଲ୍ୟା ଓ ଏସବୁ ନଦୀର ଶାଖା ନଦୀର ଉଭୟ ପାଶ୍ୱର୍ରେ ବନୀକରଣ କରାଯିବ।ସବୁଜ ମହାନଦୀ ମିଶନ ଅନ୍ତର୍ଗତ ଏହି କାର୍ଯ୍ୟ ପାଇଁ ୪୪୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି।ଏହି ବନୀକରଣ କାର୍ଯ୍ୟ ୫ବର୍ଷ ମଧ୍ୟରେ ଶେଷ ହେବ।ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।
ସେହିପରି ରାଜ୍ୟର ସମସ୍ତ ପୌରାଂଚଳରେ ଏବେ ଥିବା ପାରମ୍ପରିକ ଷ୍ଟ୍ରିଟ୍ ଲାଇଟକୁ ହଟାଇ ଦିଆଯାଇ ୨.୩୮ଲକ୍ଷ ସ୍ମାର୍ଟ ଏଲଇଡି ବଲବ ଲଗାଯିବ।ଏହି କାର୍ଯ୍ୟ ୨୦୧୭ ମସିହାରୁ ଆରମ୍ଭ ହୋଇଛି।ପ୍ରଥିମେ ଏହା ୧.୨୨ଲକ୍ଷ ଷ୍ଟ୍ରିଟ୍ ଲାଇଟ୍ ଆକଳନ କରାଯାଇଥିଲା କିନ୍ତୁ ସର୍ଭେ ପରେ ଆଉ ୧.୨୭ଲକ୍ଷ ଷ୍ଟ୍ରିଟ୍ ଲାଇଟର ଆବଶ୍ୟକତା ଥିବା ଜଣାପଡ଼ିଛି।ଯାହାକୁ ଆଜି କ୍ୟାବିନେଟ ମଞ୍ଜୁର କରିଛନ୍ତି।ଏହା ବ୍ୟତୀତ ଭାରତ ସରକାରଙ୍କ ଇଇଏସଏଲ୍ ସଂସ୍ଥାକୁ ଏସବୁ ଷ୍ଟ୍ରିଟ୍ ଲାଇଟର ପରିଚାଳନା ପରାମର୍ଶଦାତା ଭାବେ କାର୍ଯ୍ୟ କରିବା ପାଇଁ ମନୋନୟନ ଭିତିରେ ଚୟନ କରାଯାଇଛି।ଏଥିପାଇଁ ଇଇଏସଲ ସହ ୮୬.୪୭ କୋଟି ଟଙ୍କାର ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି, ଯାହାକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।
ସେହିପରି କଳାହାଣ୍ଡିରେ ୧୦୦ ବେଡ୍ ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଟେଣ୍ଡର ଡାକିଥିଲେ।ଟାଟା ପ୍ରୋଜେକ୍ଟସ ସର୍ବନିମ୍ନ ୨୨୦.୭୩ କୋଟି ଟଙ୍କାର ବିଡ୍ ଡାକି ଏହି ଟେଣ୍ଡର ନେଇଛି।ଏହି ମେଡିକାଲ କଲେଜ ନିର୍ମାଣ ପ୍ରକଳ୍ପ ୨ବର୍ଷ ମଧ୍ୟରେ ସମାପ୍ତ ହେବ।ଏହି ଟେଣ୍ଡରକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।
ସେହିପରି କଟକସ୍ଥିତ ଶିଶୁଭବନରେ ହସ୍ପିଟାଲ କମ୍ପେ୍ଲକ୍ସ ଓ ପିଜି ଛାତ୍ରାବାସର ଟେଣ୍ଡର ପାଇଁ ବ୍ରିଜ୍ ଆଣ୍ଡ ରୁଫ୍ ସର୍ବନିମ୍ନ ୧୧୬.୯୨ କୋଟି ଟଙ୍କାର ବିଡ୍ ଡାକିଥିଲା।ସର୍ବନିମ୍ନ ବିଡ୍ ଦାଖଲକାରୀ ଭାବେ ଏହି କମ୍ପାନୀକୁ ଟେଣ୍ଡର ଦେବା ନିମନ୍ତେ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି।ଏହି ନିର୍ମାଣ କାର୍ଯ୍ୟ ୨ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ ।