Latest

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ +୨ ରେଜଲ୍ଟ, ସନ୍ତୁଷ୍ଟ ନହେଲେ ଦେବେ ପରୀକ୍ଷା

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାକୁ ବାତିଲ କରିବା ସହ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିକଳ୍ପ ମୂଲ୍ୟାୟନର ବ୍ୟବସ୍ଥା କରିଛନ୍ତି। ଏହି ଆଧାରରେ ଆସନ୍ତା ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ। ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କୁ ମିଳିଥିବା ମାର୍କରେ ସନ୍ତୁଷ୍ଟ ନହେବେ ସେମାନେ କରୋନା ସ୍ଥିତି ସୁଧୁରିବା ପରେ ଅଫଲାଇନରେ ପରୀକ୍ଷା ଦେଇପାରିବେ। ଆଜି ଏନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ରାଜ୍ୟ ସରକାର ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାକୁ ବାତିଲ କରିବା ପରେ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକଙ୍କ ଚିନ୍ତାକୁ ଦୃଷ୍ଟିରେ ରଖି ଏକ ଏକ୍ସପର୍ଟ କମିଟି ଗଠନ କରିଥିଲେ। ଏହି କମିଟି ପିଲାମାନଙ୍କ ପରୀକ୍ଷା ଫଳ ଆକଳନ କରିବା ପାଇଁ ବିକଳ୍ପ ମାନଦଣ୍ଡ ନିର୍ଦ୍ଧାରଣ କରିବା ପାଇଁ ସରକାରଙ୍କୁ ସୁପାରିଶ କରିଥିଲେ। କମିଟିର ସୁପାରିସ୍ ଆଧାରରେ ପରୀକ୍ଷା ଫଳ ମୂଲ୍ୟାୟନ ହେବ। ଦଶମ ବୋର୍ଡ ପରୀକ୍ଷାର ପ୍ରଦର୍ଶନ ଆଧାରରେ ଯୁକ୍ତ ଦୁଇ ରେଗୁଲାର ଛାତ୍ରଛାତ୍ରୀଙ୍କ ସ୍କୋର ଚୂଡ଼ାନ୍ତ ହେବ। ସେହିପରି ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କୁ ସେମାନଙ୍କର ପୂର୍ବ ପରୀକ୍ଷାର ଫଳ ଆଧାରରେ ମାର୍କ ଦିଆଯିବ। ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ପାଇଁ ମଧ୍ୟ ମାର୍କିଂ ଦିଆଯିବ।
ବିକଳ୍ପ ପରୀକ୍ଷା ଫଳ ମୂଲ୍ୟାୟନରେ କୌଣସି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହେଲେ ସେ କରୋନା ସ୍ଥିତି ସୁଧୁରିବା ପରେ ଅଫଲାଇନରେ ପରୀକ୍ଷା ଦେଇପାରିବେ। ପରୀକ୍ଷା ଫଳ କେଉଁ ଆଧାରରେ ମୂଲ୍ୟାୟନ ହେବ ତା’ର ମାନଦଣ୍ଡକୁ ବିସ୍ତୃତ ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉଭୟ ମାଟ୍ରିକ ଓ ଯୁକ୍ତ ଦୁଇର ରାଜ୍ୟ ବୋର୍ଡ ପରୀକ୍ଷାକୁ ବାତିଲ କରିଥିଲେ। କେନ୍ଦ୍ର ସରକାର ମଧ୍ୟ ଉଭୟ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version