ରାଜ୍ୟ

୧୦ ଅଫିସରଙ୍କ ବଦଳି:୫ ଜିଲ୍ଳାରେ ନୂଆ ଜିଲ୍ଲାପାଳ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ୫ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ମୋଟ ୧୦ଜଣ ବରିଷ୍ଠ ପ୍ରଶାସନିକ ଅଫିସରଙ୍କ ବଦଳି କରିଛନ୍ତି। ଅନୁଗୋଳ, ଝାରସୁଗୁଡ଼ା, ଜଗତସିଂହପୁର, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ମିଳିଛି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ଅନୁଗୋଳ ଜିଲ୍ଲାପାଳ ଅନୀଲ କୁମାର ସାମଲଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଓ ଝାରସୁଗୁଡ଼ା ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବା ଅର୍ଚ୍ଚନା ପଟ୍ଟନାୟକଙ୍କୁ କେବଳ ଓଡ଼ିଶା ଔଷଧ ନିଗମ ଏମଡି ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି। ସେହିପରି ଜଗତସିଂହପୁର ଜିଲ୍ଲାପାଳ ଯାମିନୀ ଷଡ଼ଙ୍ଗୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ, ରାୟଗଡ଼ା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବାବେଳେ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ବିଏମସି କମିଶନର ଶୁଭମ ସାକସେନାଙ୍କୁ ସମ୍ବଲପୁର ଜିଲ୍ଳାପାଳ, ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ବିଭୂତି ଭୂଷଣ ଦାସଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବ୍ୟକ୍ତିଗତ ସଚିବ ପ୍ରମୋଦ କୁମାର ବେହେରାଙ୍କୁ ରାୟଗଡ଼ା ଜିଲ୍ଲାପାଳ, ବିଡିଏ ସଚିବ ମନୋଜ କୁମାର ମହାନ୍ତି-୨ଙ୍କୁ ଅନୁଗୋଳ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version