ଏଣିକି ଆବାସିକ ପ୍ରମାଣପତ୍ର ୫ ବର୍ଷ ପାଇଁ ବୈଧ
ଭୁବନେଶ୍ୱର : ରାଜସ୍ୱ ପ୍ରଶାସନକୁ ଅଧିକ ଲୋକାଭିମୁଖୀ ଏବଂ ରାଜସ୍ୱ ସେବାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟ ନେଇ ଆବାସିକ ପ୍ରମାଣପତ୍ର ଏବଂ ଆୟ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ସଂଶୋଧନ କରାଯାଇଛି।ଯେଉଁ ଛାତ୍ରଛାତ୍ରୀମାନଙ୍କ ପାଖରେ ବୋର୍ଡ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦତ୍ତ ହାଇସ୍କୁଲ ସାର୍ଟିଫିକେଟ୍ କିମ୍ବା ତତୁଲ୍ୟ ସାର୍ଟିଫିକେଟ୍ ଉପଲବ୍ଧ ଏଣିକି ସେମାନଙ୍କ ପାଇଁ ଆବାସିକ ପ୍ରମାଣପତ୍ରର ଆବଶ୍ୟକତା ପଡ଼ିବ ନାହିଁ ଏବଂ ହାଇସ୍କୁଲ ସାର୍ଟିଫିକେଟ୍ରେ ପ୍ରଦତ୍ତ ସ୍ଥାନୀୟ ଠିକଣା ହିଁ ତାଙ୍କର ଆବାସିକ ପ୍ରମାଣପତ୍ର ଭାବରେ ଗ୍ରହଣ କରାଯିବ।ତେବେ ଯେଉଁ ଛାତ୍ରଛାତ୍ରୀ ହାଇସ୍କୁଲ ସାର୍ଟିଫିକେଟ୍ କିମ୍ବା ତତୁଲ୍ୟ ପରୀକ୍ଷା ପାସ କରିନାହାନ୍ତି କିମ୍ବା ବୋର୍ଡ ପ୍ରଦତ୍ତ ସାର୍ଟିଫିକେଟ୍ ନାହିଁ ସେମାନଙ୍କ ନିମନ୍ତେ ପୂର୍ବପରି ରାଜସ୍ୱ ବିଭାଗ ଦ୍ୱାରା ଦିଆଯାଉଥିବା ଆବାସିକ ପ୍ରମାଣପତ୍ର ଆବଶ୍ୟକ ଏବଂ ଏଣିକି ଆବାସିକ ପ୍ରମାଣପତ୍ରର ବୈଧତା ଏକ ବର୍ଷ ବଦଳରେ ୫ ବର୍ଷ ପର୍ଯ୍ୟନ୍ତ ରହିବ।ସେହିପରି ରାଜସ୍ୱ ବିଭାଗ ପକ୍ଷରୁ ଦିଆଯାଇଥିବା ଆୟ ପ୍ରମାଣପତ୍ରର ମାନ୍ୟତା ଏଣିକି ଏକ ବର୍ଷ ବଦଳରେ ୩ ବର୍ଷ ପର୍ଯ୍ୟନ୍ତ ରହିବ।ଆବାସିକ ପ୍ରମାଣପତ୍ର ଏବଂ ଆୟ ପ୍ରମାଣପତ୍ର ଓ ଏହାର ବୈଧତା ବୃଦ୍ଧି ସଂକ୍ରାନ୍ତରେ ଓଡ଼ିଶା ମିସେଲେନିୟସ୍ ସାର୍ଟିଫିକେଟ୍ ରୁଲସ୍, ୨୦୧୭ରେ ଆବଶ୍ୟକୀୟ ସଂଶୋଧନ ନିମନ୍ତେ ପ୍ରସ୍ତାବ ଦେବା ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ କମିଟିର ସୁପାରିଶକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ଅନୁମୋଦନ କରିଛନ୍ତି ।
ଏହା ଦ୍ୱାରା ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନେ ବହୁଳ ଭାବରେ ଉପକୃତ ହେବେ ଏବଂ ସେମାନଙ୍କୁ ଆଉ ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ।ତେବେ ଯେଉଁମାନେ ଇଂଜିନିୟରିଂ, ଡାକ୍ତରୀ, ମ୍ୟାନେଜ୍ମେଣ୍ଟ କିମ୍ବା ଅନ୍ୟ ପେଶାଦାର ପାଠ୍ୟକ୍ରମରେ ନାମ ଲେଖାଇବେ ସେମାନଙ୍କ ନିମନ୍ତେ ଆବାସିକ ପ୍ରମାଣପତ୍ର ଯୋଗାଇଦିଆଯିବ ଏବଂ ଏହି ଆବାସିକ ପ୍ରମାଣପତ୍ର ଏକ ବର୍ଷ ବଦଳରେ ୫ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ । ସେହିପରି ସରକାରୀ ଚାକିରି ନିମନ୍ତେ ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ଆବାସିକ ପ୍ରମାଣପତ୍ର ଦିଆଯିବ ଏବଂ ଏହାର ମାନ୍ୟତା ଏକ ବର୍ଷ ବଦଳରେ ୫ ବର୍ଷ ପର୍ଯ୍ୟନ୍ତ ରହିବ । ଏହି ଆବାସିକ ପ୍ରମାଣପତ୍ର ରାଜସ୍ୱ ବିଭାଗ ଦ୍ୱାରା ନିର୍ଦ୍ଧାରିତ ଫର୍ମାଟ୍ରେ ଜମିପଟ୍ଟା, ନିର୍ଦ୍ଦଷ୍ଟ ସ୍ଥାନରେ ଏକକାଳୀନ ଏକ ବର୍ଷ ପର୍ଯ୍ୟନ୍ତ ବସବାସ କରିବା, ଭୋଟର ତାଲିକାର ନକଲ, ଭୋଟର ପରିଚୟ ପତ୍ର, ରେସନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ୍, ଆଧାର କାର୍ଡ, ପ୍ୟାନ୍କାର୍ଡ, ପାସ୍ପୋର୍ଟ, ଘରଭଡା ଚୁକ୍ତିର ନକଲ ଆଦି ପ୍ରାମାଣିକ ତଥ୍ୟ ଆଧାରରେ ତହସିଲଦାର କିମ୍ବା ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ପ୍ରଦାନ କରାଯିବ ।
ସୂଚନାଯୋଗ୍ୟ ଯେ ୨୦୧୩ ମସିହରେ ରାଜସ୍ୱ ବିଭାଗ ପକ୍ଷରୁ ୧,୫୩,୦୦୦ ଆବାସିକ ପ୍ରମାଣପତ୍ର ଓ ୯୯,୭୫୮ ଟି ଆୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିବାବେଳେ ୨୦୧୭ ବର୍ଷରେ ଏହା ବହୁଗୁଣ ବୃଦ୍ଧି ପାଇ ଆବାସିକ ପ୍ରମାଣପତ୍ର ୧୩ ଲକ୍ଷ ୨୦ ହଜାର ୭୩୩ ଏବଂ ଆୟ ପ୍ରମାଣପତ୍ର ୧୦ ଲକ୍ଷ ୩୭ ହଜାର ୨୬୭ରେ ପହଞ୍ଚିଥିଲା ।