ରାଜନୀତି

ଅଶ୍ୱିନୀ,ଅମର ଓ ସସ୍ମିତ ବିଜେଡି ରାଜ୍ୟସଭା ପ୍ରାର୍ଥୀ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶାରେ ହେବାକୁ ଥିବା ୩ଟି ରାଜ୍ୟସଭା ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବିଜେଡି ଆଇଟି ୱିଙ୍ଗ ମୁଖ୍ୟ ଅମର ପଟ୍ଟନାୟକ, ମୁଖପାତ୍ର ସସ୍ମିତ ପାତ୍ର ଓ ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବ ବିଜେଡି ପ୍ରାର୍ଥୀ ହେବେ। ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ସଂଖ୍ୟା ଅଭାବରୁ ନିଜର ପ୍ରାର୍ଥୀ ଦେଉନଥିବାବେଳେ ବିଜେଡି ପ୍ରାର୍ଥୀମାନେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକରକମ ସ୍ପଷ୍ଟ ହୋଇଛି। ବିଜେଡି ଯେଉଁ ୩ଜଣଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି, ସେମାନଙ୍କୁ ଆବଶ୍ୟକ ଦସ୍ତାବିଜ ପ୍ରସ୍ତୁତ କରିବା ନିମନ୍ତେ ଆଜି ଆନୁଷ୍ଠାନିକ ଭାବେ କୁହାଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ହେବାକୁ ଥିବା ୩ଟି ଆସନରେ ବିଜେଡି ନେତୃତ୍ୱ ନିଜ ଦଳର ପରାଜିତ ପ୍ରାର୍ଥୀଙ୍କୁ ପଠାଇବା ସପକ୍ଷରେ ନଥିଲେ। ଏହି କାରଣରୁ ବିଜେଡି ଆଇଟି ୱିଙ୍ଗ ମୁଖ୍ୟ ଅମର ପଟ୍ଟନାୟକ, ମୁଖପାତ୍ର ସସ୍ମିତ ପାତ୍ରଙ୍କ ନାଁ ରାଜ୍ୟସଭା ନିର୍ବାଚନ ରେସରେ ସବୁଠୁ ଆଗରେ ରହିଥିଲା। ତା’ଛଡ଼ା ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡ଼ର ଆଇଏଏସ ଅଶ୍ୱିନୀ ବୈଷ୍ଣବଙ୍କର ଜାତୀୟସ୍ତରରେ ବିଜେପି ସହ ଭଲ ସମ୍ପର୍କ ଥିବାରୁ ବିଜେଡି ତାଙ୍କୁ ନିଜ ଦଳୀୟ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିବା ଶ୍ରୀ ବୈଷ୍ଣବ ଏବେ ଆଇଏଏସ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇସାରିଛନ୍ତି ଓ ତାଙ୍କୁ ରାଜ୍ୟସଭା ପଠାଇବା ପଛରେ ବିଜେପିର ହାତ ରହିଥିବା ଆକଳନ କରାଯାଉଛି। ସେ ଆଗାମୀ ଦିନରେ ବିଜେଡି ଓ ବିଜେପି ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ସମସ୍ତ ପ୍ରାର୍ଥୀ ଆସନ୍ତା ୨୪ତାରିଖରେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ବିଧାନସଭା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ଦିନ ବିଜେଡି ୧୨ ସେଟ୍ ପ୍ରାର୍ଥୀପତ୍ର ନେଇଛି। ଦଳର ମୁଖପାତ୍ର ସସ୍ମିତ ପାତ୍ର ଏହି ପ୍ରାର୍ଥୀପତ୍ର ନେଇଛନ୍ତି। ସେହିପରି ଆଜିସୁଦ୍ଧା ବିଜେଡି ସମେତ ମୋଟ ୬ଜଣ ପ୍ରାର୍ଥୀପତ୍ର ନେଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ସାମିଲ ଅଛନ୍ତି। ଗୌରଚନ୍ଦ୍ର ଦାସ, ଡଃ ନଗେନ୍ଦ୍ର ନାଥ ମିଶ୍ର, ଦେବୀପ୍ରସାଦ ବାହାଲିଆ ନାମକ ବ୍ୟକ୍ତିମାନେ ମଧ୍ୟ ପ୍ରାର୍ଥୀପତ୍ର ନେଇଥିବା ସୂଚନା ମିଳିଛି। ତେବେ ଦୁଇ ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ନେଇନଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version