ରାଜନୀତି

ପଦ୍ମ ଧରିଲେ ଅପରାଜିତା

Posted on

ନୂଆଦିଲ୍ଲୀ(ଓଡବ୍ଲ୍ୟୁ): ପୂର୍ବତନ ଆଇଏଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ଆଜ ବିଜେପିରେ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ସେ ବିଧିବଦ୍ଧ ଭାବେ ବିଜେପିର ପ୍ରାଥମକ ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଓଡ଼ିଶା ପ୍ରଭାରୀ ଅରୁଣ ସିଂହ,ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର‌୍ୟ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ବିଜେପିରେ ମିଶିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟା ରଖି କହିଛନ୍ତି,“ ଦଳର ବିଚାରଧାରା, ବିକାଶମୂଳକ ଆଭିମୁଖ୍ୟ ଓ ନେତାଙ୍କୁ ଦେଖି ସେ ବିଜେପିରେ ଯୋଗ ଦେଇଛନ୍ତି। ବହୁ ଭାବିଚିନ୍ତି, ବହୁ ଲୋକଙ୍କ ସହିତ ଆଲୋଚନା କରି ଏପରିକି ୩ଟି ବହି ପଢ଼ିବା ପରେ ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇଛି।” ବଡ଼ ମଞ୍ଚରେ ଲୋକଙ୍କୁ ସେବା କରିବାର ସୁଯୋଗ ମିଳିବା ଆଶାରେ ଏହି ନିଷ୍ପତ୍ତି ନେଇଛି। କାରଣ ସରକାରୀ ଚାକିରିରେ ଥିବାବେଳେ ଜନତାଙ୍କ ସେବା କରିବାର ସୀମିତ ସୁଯୋଗ ମିଳିଥାଏ ବୋଲି ସେ କହିଛନ୍ତି।ଏହାସହ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର‌୍ୟ୍ୟଶୈଳୀକୁ ସେ ଭୁରି ଭୁରି ପ୍ରଶଂସା କରିଛନ୍ତି। ବିଜେପିରେ ଯୋଗଦାନ ପାଇଁ ମୋଦିଙ୍କ ସହିତ ଅମିତ ଶାହ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
ଅପରାଜିତା ୨୯ ତାରିଖରେ ଓଡ଼ିଶା ଆସିବେ। ତାଙ୍କୁ ରାଜଧାନୀ ଭୁବନେଶ୍ୱରରେ ଭବ୍ୟ ସ୍ୱାଗତ କରିବାକୁ ଦଳ ପକ୍ଷରୁ ଯୋଜନା କରାଯାଇଛି। ଅପରାଜିତାଙ୍କ ଯୋଗଦାନ ବିଜେପିକୁ ବଳ ଦେବ ଏବଂ ସଙ୍ଗଠନ ମଧ୍ୟ ମଜବୁତ୍ ହେବ ବୋଲି ଦଳୀୟ ନେତା ଆଶା ରଖିଛନ୍ତି।
ଜଣେ ଦକ୍ଷ ଆଇଏଏସ୍ ଭାବେ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ଥିଲା। ବିଏମ୍‌ସି କମିଶନର ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ସେ ଉଲ୍ଲେଖନୀୟ ସଂସ୍କାର ଆଣିଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version