ରାଜ୍ୟ

ବିଜେପିରେ ମିଶିବେ ଅପରାଜିତା ଷଡ଼ଙ୍ଗୀ!

Posted on

ଭୁବନେଶ୍ୱର : ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡ଼ର ଆଇଏଏସ ଅପରାଜିତା ଷଡ଼ଙ୍ଗୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତିରେ ପାଦ ରଖିବାର ସମ୍ଭାବନା ରହିଛି।ସେ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆବେଦନ କରିଛନ୍ତି।ତେବେ ତାଙ୍କର ଆବେଦନ ଉପରେ ଏପର୍ଯ୍ୟନ୍ତ ସରକାର କୌଣସି ନିଷ୍ପତି ନେଇନଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ୨୦୧୩ ଅଗଷ୍ଟ ମାସରୁ କେନ୍ଦ୍ରକୁ ଡେପୁଟେସନରେ ଯାଇଥିବା ଶ୍ରୀମତୀ ଷଡ଼ଙ୍ଗୀ ସରକାରୀ ଚାକିରିରୁ ଅବସର ନେଇ ବିଜେପିରେ ସାମିଲ ହେବାକୁ ଆଗ୍ରହ ଦେଖାଇଛନ୍ତି।ତାଙ୍କର ଡେପୁଟେସନ ଅବଧି ସମାପ୍ତ ହେବାପରେ ସେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେବା କଥା।ମାତ୍ର ସ୍ୱେଚ୍ଛାକୃତ ଅବସର ପାଇଁ ସେ ଆବେଦନ କରିବା ପରେ ରାଜ୍ୟ ପ୍ରଶାସନିକ ମହଲରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।ତାଙ୍କୁ ନିଜର ଆବେଦନପତ୍ର ଫେରାଇ ନେବା ପାଇଁ ତାଙ୍କର କେତେକ ଶୁଭେଚ୍ଛୁ( ରାଜ୍ୟର ବରିଷ୍ଠ ଆଇଏଏସମାନେ) ପରାମର୍ଶ ଦେଇଥିଲେ ମଧ୍ୟ ସେ ଏହାକୁ ଗ୍ରହଣ କରିନଥିବା ଜଣାପଡ଼ିଛି।ଉଲ୍ଲେଖଯୋଗ୍ୟ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଚାକିରୀ ୨୦୨୯ ମସିହା ପର୍ଯ୍ୟନ୍ତ ରହିଛି । ସେ ଭୁବନେଶ୍ୱର ମହାନଗର ନିଗମ କମିଶନର ଏବଂ ସ୍କୁଲ ଓ ଗଣଶିକ୍ଷା ସଚିବ ଥିବାବେଳେ ରାଜ୍ୟରେ ଅନେକ ପ୍ରଶାସନିକ ସଂସ୍କାର ଆଣିପାରିଥିଲେ । ଭୁବନେଶ୍ୱର ସହରରେ ଭେଣ୍ଡିଂ ଜୋନ୍ ଓ ସହରକୁ ପାରମ୍ପରିକ ଚିତ୍ରରେ ସଜେଇବାରେ ସେ ପଦକ୍ଷେପ ନେଇଥିଲେ ।ସେହିପରି ସ୍କୁଲରେ ପିଲାଙ୍କୁ ମାଡ଼ ଉପରେ ସମ୍ପୂର୍ଣ୍ଣ କଟକଣା, ଡ୍ରେସ କୋର୍ଡ ଓ ଡ୍ୟୁଟି ଖିଲାପୀ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେ ଶିକ୍ଷାବ୍ୟବସ୍ଥାରେ ସଂସ୍କାରର ମୂଳଦୁଆ ପକାଇ ପାରିଥିଲେ।ଭୁବନେଶ୍ୱରର ବୋହୂ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ବିଜେପି ଭୁବନେଶ୍ୱରର ଲୋକସଭା ଆସନରୁ ପ୍ରାର୍ଥୀ କରିବା ପାଇଁ ଯୋଜନା କରିଛି ।
ସୂଚନାଯୋଗ୍ୟ ଶ୍ରୀମତୀ ଷଡ଼ଙ୍ଗୀଙ୍କ ପୂର୍ବରୁ ଓଡ଼ିଶା କ୍ୟାଡ଼ରର ୧୯୮୯ ବ୍ୟାଚ ଆଇଏଏସ ଡିଏନ୍ ଗୁପ୍ତାଙ୍କୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାର ଅନୁମତି ଦେଇସାରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version