ରାଜନୀତି

ବିଜେଡିରୁ ଇସ୍ତଫା ଦେଲେ ବୈଜୟନ୍ତ

Posted on

ଭୁବନେଶ୍ୱର : ବିଜେଡିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡା ଆଜି ଆନୁଷ୍ଠାନିକ ଭାବେ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଦଳବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଜାନୁୟାରୀ ୨୪ତାରିଖରେ ଦଳରୁ ନିଲମ୍ବନ କରାଯାଇଥିଲା ।
ଆଜି ଦଳର ସଭାପତି ଶ୍ରୀ ପଟ୍ଟନାୟକଙ୍କ ପାଖକୁ ୩ ପୃଷ୍ଠାର ଚିଠି ଲେଖି ସେଥିରେ ସେ ବିଜେଡିରୁ ଇସ୍ତଫା ଦେବାର କାରଣ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଦଳରେ ଦୀର୍ଘଦିନ ଧରି ଅଲୋଡ଼ା ଓ ଅଖୋଜା ହୋଇ ରହିବା ,ତାଙ୍କ ପିତା ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ଶେଷଦର୍ଶନ ପାଇଁ ଜଣେ ବି ବିଜେଡି ନେତା ତାଙ୍କ ଘରକୁ ନଯିବା, ସତ୍ୟକୁ ଜାଣିବାକୁ ଚେଷ୍ଟା ନକରି ଅନ୍ୟର କଥାରେ ପ୍ରଭାବିତ ହୋଇ ସଭାପତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା, ଦଳରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ପୂର୍ଣ୍ଣ ଅଣଦେଖା କରାଯିବା, ଜଣେ ପ୍ରଶାସନିକ ଅଫିସର୍ ଏବେ ଦଳରେ ନିଜକୁ କ୍ଷମତାସମ୍ପନ୍ନ କରାଇ ଦ୍ୱିତୀୟ କ୍ଷମତାକେନ୍ଦ୍ର ଭାବେ ଉଭା ହୋଇଥିବା, ତଥା ସେ ଦଳକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଥିବା, ବିଜେଡିର କିଛି ନେତା ନିଜର ଅସ୍ତିତ୍ୱ ବଂଚାଇବା ପାଇଁ ଏଭଳି ପ୍ରଶାସନିକ ଅଧିକାରୀଙ୍କ ସହ ସାଲିସ୍ କରୁଥିବା ଆଦି କାରଣ ସମ୍ପର୍କରେ ସାଂସଦ ଶ୍ରୀ ପଣ୍ଡା ନିଜର ୩ପୃଷ୍ଠାର ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ସେ ନିଜକୁ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ବୋଲି ଦାବି କରିବା ସହ ବିଜେଡି ଗଠନ ଦିନଠୁ ଏପର୍ଯ୍ୟନ୍ତ କୌଣସି ଦଳବିରୋଧୀ କାର୍ଯ୍ୟ କରିନଥିବା କହିଛନ୍ତି । ଏପରିକି ବିଜୁବାବୁଙ୍କ ସହ ତାଙ୍କ ପାରିବାରିକ ସମ୍ପର୍କ ବିଷୟରେ ବି ସେ ଦଳର ସଭାପତିଙ୍କୁ ମନେ ପକାଇ ଦେଇଛନ୍ତି । ବିଜେଡି ଉପରେ ସଭାପତିଙ୍କ ନିୟନ୍ତ୍ରଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ଓ ଦଳର ସବୁସ୍ତରର ନେତା ଏବେ ଜଣେ ପ୍ରଶାସନିକ ଅଫିସର୍ଙ୍କୁ ଦଳର ସର୍ବେସର୍ବା ବୋଲି ବିବେଚନା କରିବାକୁ ବାଧ୍ୟ ହେଉଥିବା ମଧ୍ୟ ନିଜ ଚିଠିରେ ଶ୍ରୀ ପଣ୍ଡା ଦର୍ଶାଇଛନ୍ତି । ଶେଷରେ ସେ ନବୀନଙ୍କ ମଙ୍ଗଳ କାମନା କରିବା ସହ ରାଜ୍ୟର ବିକାଶ ପାଇଁ ତାଙ୍କ ଭଳି ଜଣେ ନେତୃତ୍ୱ ଦୀର୍ଘଦିନ କ୍ଷମତାରେ ରହିବା ଆବଶ୍ୟକ ବୋଲି ମତ ଦେଇଛନ୍ତି ।
ଶ୍ରୀ ପଣ୍ଡା ନିଜ ପିତାଙ୍କ ଏକାଦଶାହ କାର୍ଯ୍ୟକ୍ରମ ପରେ ଲୋକସଭା ବାଚସ୍ପତିିଙ୍କୁ ଭେଟି ସାଂସଦ ପଦରୁ ଇସ୍ତଫା ପତ୍ର ଦେବେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version