ରାଜ୍ୟ

ମହାନଦୀ ବ୍ରିଜରୁ ବସ ଖସି ୧୦ ମୃତ

Posted on

କଟକ(ଓଡବ୍ଲ୍ୟୁ): ମହାନଦୀ ବ୍ରିଜରେ ମଇଁଷିକୁ ଧକ୍କା ଦେଇ ଏକ ଯାତ୍ରୀବାହୀ ଖସି ପଡ଼ିବା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ୩୭ ଜଣ ଗୁରୁତର ଆହତ ଅବସ୍ଥାରେ କଟକ ବଡ଼ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାରେ ଦୁଃଖପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋ‌ଷଣା କରିଛନ୍ତି।

ତାଳଚେର ବଲଣ୍ଡାରୁ ଭୁବନେଶ୍ବର ଆସୁଥିବା ‘ଜଗନ୍ନାଥ’ ନାମକ ଏକ ଯାତ୍ରାବାହୀ ବସ୍‌ ଆଜି ସଂଧ୍ୟା ପାଖାପାଖି ସାଢେ ଛଅଟା ସମୟରେ ମହାନଦୀ ପୋଲ ଅତିକ୍ରମ କରୁଥିଲା। ଠିକ୍‌ ପୋଲ ମଝିରେ ଏକ ମଇଁଷିକୁ ଧକ୍କା ଦେଇ ବସ୍‌ଟି ପୋଲର ବାଡା ଭାଙ୍ଗି ପ୍ରାୟ ୩୦ ଫୁଟ ତଳକୁ ଖସି ପଡିଥିଲା। ବସ୍‌ରେ ଥିବା ୪୭ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ୩୭ ଜଣ ଗୁରୁତର ଆହତ ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବାଲି ଉପରେ ବସ୍‌ଟି ପଡି ଥିବାବେଳେ ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଅନେକ ବସ୍‌ରୁ ଛିଟ୍‌କି ବାଲିରେ ପଡିଥିଲେ। ଅନେକ ଯାତ୍ରୀ ବସ୍‌ ଭିତରେ ଚାପି ହୋଇ ରହିଥିଲେ। ମହାନଦୀ ମଝିରେ ବସ ପଡିଥିବା ବେଳେ ଅନ୍ଧାର ଯୋଗୁଁ ଉଦ୍ଧାର କାର‌୍ୟ୍ୟରେ ବିଳମ୍ବ ହୋଇଥିଲା।

ଶିଖରପୁର ପଟୁ ୪ଟି ବୋଟ୍‌ରେ ଉଦ୍ଧାରକାରୀ ଦଳ ମହାନଦୀ ଭିତରକୁ ଯିବା ସହ କିଛି ବାଟ ବାଲିରେ ଚାଲି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଏହି ପ୍ରକ୍ରିୟାରେ ଉଦ୍ଧାର କାର‌୍ୟ୍ୟ ବିଳମ୍ବିତ ହୋଇଥିବା ବେଳେ ପୋଲ ଉପରେ ପ୍ରବଳ ଭିଡ ଯୋଗୁଁ ରାସ୍ତା ଜାମ ହୋଇଯାଇଥିଲା। ଓଡ୍ରାଫ ଟିମ୍, ଅଗ୍ନିଶମ ବିଭାଗ, ସ୍ଥାନୀୟ ପୁଲିସ ଉଦ୍ଧାର କାର‌୍ୟ୍ୟରେ ସାମିଲ ହୋଇଥିଲେ। ୧୦ଟି ଆମ୍ବୁଲାନ୍ସରେ ଆହତମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଉଦ୍ଧାର କାର‌୍ୟ୍ୟର ନେତୃତ୍ବ ନେଉଥିବା ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ କହିବା ଅନୁଯାୟୀ, ବସ୍‌ ଭିତରେ ୧୫ରୁ ଅଧିକ ମହିଳା ଥିବା ବେଳେ ୭ ଜଣ ବରିଷ୍ଠ ନାଗରିକ ଓ କେତେଜଣ ଶିଶୁ ଥିଲେ। ତେବେ, ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ସ୍ପଷ୍ଟ ହୋଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version