ରାଜ୍ୟ

ଟଳିଗଲା ବାତ୍ୟା ‘ଡାଏ’, ୭ଦିନର ରିଲିଫ୍ ପ୍ୟାକେଜ ଘୋଷଣା

Posted on

ଭୁବନେଶ୍ୱର/ମାଲକାନଗିରି : ଓଡ଼ିଶା ପ୍ରତି ବିପଦ ଥିବା ବାତ୍ୟା ‘ଡାଏ’ ଟଳିଯାଇଛି।କିନ୍ତୁ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି।ବାତ୍ୟାର ପ୍ରଭାବରେ ମାଲକାନଗିରି ଜିଲ୍ଲାର ଲଗାଣ ବର୍ଷାର ବିଭୀଷିକା ଦେଖିବାକୁ ମିଳିଛି।ଜିଲ୍ଲାର ସମସ୍ତ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପଟେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାର ବାତ୍ୟା ପ୍ରଭାବିତଙ୍କ ପାଇଁ ୭ଦିନର ରିଲିଫ୍ ପ୍ୟାକେଜ ଘୋଷଣା କରିଛନ୍ତି।
ବାତ୍ୟା ‘ଡାଏ’ ଛତିଶଗଡ଼ମୁହାଁ ହୋଇଥିଲେ ମଧ୍ୟ ରାଜ୍ୟ ତମାମ ବର୍ଷା ଲାଗି ରହିଛି।ଲଗାଣ ବର୍ଷା ଯୋଗୁ ମାଲକାନଗିରି-ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାବେଳେ ମୋଟେରୁ ଡାଙ୍ଗରୁକୋଣ୍ଡାଠାରେ ପୋଲ ଉପରେ ୧୦ଫୁଟର ପାଣି ପ୍ରବାହିତ ହେଉଛି।ମୋଟେରୁ ଗାଁର ପ୍ରାୟ ୪୦ଟି ଘର ଜଳବନ୍ଦୀ ହୋଇ ରହିଛି।ମାଲକାନଗିରି ଜିଲ୍ଲାରେ ଅନେକ କଚ୍ଚାଘର ଭାଙ୍ଗିଯାଇଥିବା ଜଣାପଡ଼ିଛି।ରାଜ୍ୟର ପ୍ରମୁଖ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି।ବାଲେଶ୍ୱରର ଜଳକା ନଦୀରେ ଜଳସ୍ତର ବଢ଼ୁଥିବାବେଳେ ସୋନନଦୀରେ ବନ୍ୟା ପରିସ୍ଥିତି ଯୋଗୁ ନୀଳଗିରିର ୧୫ଟି ଗାଁ ଜଳବନ୍ଦୀ ହୋଇ ରହିଛି।ମୟୂରଭଞ୍ଜର ଉଦଳାରେ ଦେଓ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି।ଉଦଳା-ଜୟପୁର-ବାଲେଶ୍ୱର ରାସ୍ତାରେ ତିନିସୁଳିଆ ଛକରେ ୬ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି। ଲଗାଣ ବର୍ଷାରେ ବୈତରଣୀ, ଜଳକା ଓ ସାଳନ୍ଦୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି।
ବାତ୍ୟା ଓ ବର୍ଷା ପରିସ୍ଥିତିର ସମୀକ୍ଷା କରି ମୁଖ୍ୟଢ଼ନ୍ତ୍ରୀ ମାଲକାନଗିରି ଜିଲ୍ଲାର ପ୍ରଭାବିତ ଲୋକଙ୍କୁ ୭ଦିନର ରିଲିଫ ଯୋଗାଣ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।ଦୈନିକ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୬୦ଟଙ୍କା ଓ ୧୨ବର୍ଷରୁ କମ୍ ବୟସର ଶିଶୁଙ୍କୁ ୪୫ଟଙ୍କା ହିସାବରେ ରିଲଫ୍ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପ୍ରଭାବିତ ଅଂଚଳରେ ସମସ୍ତ ପ୍ରକାରର ଆନୁସଙ୍ଗିକ ସେବା ତୁରନ୍ତ ଯୋଗାଇବାକୁ ଜିଲ୍ଲା ପ୍ରଶାସନକୁ ତାଗିଦ୍ କରିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version