ରାଜନୀତି

ବିଜେପି ନିମନ୍ତ୍ରଣ ରଖିଲେ ମୁଖ୍ୟମନ୍ତ୍ରୀ, ଶ୍ରଦ୍ଧାଞ୍ଜଳୀ ସଭାକୁ ଯିଵେ

Posted on


ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ୨୪ତାରିଖରେ ପ୍ରଦର୍ଶନୀ ପଡ଼ିଆରେ ବିଜେପି ପକ୍ଷରୁ ଆୟୋଜିତ ହେବାକୁ ଥିବା ସାର୍ବଜନୀନ ଓ ସର୍ବଧର୍ମ ପ୍ରାର୍ଥନା ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ। ଆଜି ସନ୍ଧ୍ୟାରେ ପ୍ରକାଶିତ ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା କାଲିର ଗସ୍ତ କାର୍ଯ୍ୟକ୍ରମରୁ ସ୍ପଷ୍ଟ ହୋଇଛି।

ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟି ଏହି କାର୍ଯ୍ୟକ୍ରମରେ ସାମିଲ ପାଇଁ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ନିମନ୍ତ୍ରଣ ପତ୍ର ଦେଇଥିଲେ।
ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଅପରାହ୍ନ ୫ଟାରେ ସାମିଲ ହୋଇ ୨୦ମିନିଟ୍ ରହିଵେ ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଜେପି ପକ୍ଷରୁ ଆୟୋଜିତ ହେଉଥିବା ସାର୍ବଜନୀନ ଓ ସର୍ବଧର୍ମ ପ୍ରାର୍ଥନା ସଭା ପାଇଁ ସମସ୍ତ ଦଳର ନେତୃବୃନ୍ଦ ଓ ବିଧାୟକମାନଙ୍କୁ ନିମନ୍ତ୍ରଣ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଗତକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ପ୍ରାର୍ଥନା ସଭାରେ ଯୋଗଦାନ ପାଇଁ ଅନୁରୋଧ କରିବା ସହ ନିମନ୍ତ୍ରଣ ପତ୍ର ଦେଇଛନ୍ତି । ଶ୍ରୀ ଓରାମଙ୍କ ସହ ଦଳର ଉପସଭାପତି ସମୀର ମହାନ୍ତି ମଧ୍ୟ ନବୀନ ନିବାସ ଯାଇଥିଲେ । ଶ୍ରୀ ଓରାମ ମଧ୍ୟ ଗତକାଲି ଅପରାହ୍ନରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟି ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଜଣାଇଛନ୍ତି ।

ଅନ୍ୟପକ୍ଷରେ ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ବାଜପେୟୀଙ୍କ ସ୍ମୃତିରେ ବିଜେପି ଆୟୋଜନ କରୁଥିବା ସର୍ବଧର୍ମ ପ୍ରାର୍ଥନା ସଭାରୁ ରାଜନୈତିକ ଫାଇଦା ଉଠେଇବାକୁ ଉଦ୍ୟମ କରୁଛି। ତେଣୁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେଲେ ବିଜେପି ତାର ଫାଇଦା ନେଇ ପାରିବ ନାହିଁ। ମୁଖ୍ୟମନ୍ତ୍ରୀ ପୂର୍ବରୁ ଦିଲ୍ଲୀରେ ବାଜପେୟୀଙ୍କ ଶେଷକୃତ୍ୟରେ ସାମିଲ ସୋଇସାରିଛନ୍ତି। ବାଜପେୟୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରହିଥିବାରୁ ଏଥିରୁ ରାଜନୈତିକ ଫାଇଦା ଖୋଜିବା ଅନୁଚିତ୍।

Leave a Reply

Your email address will not be published. Required fields are marked *

Most Popular

Exit mobile version