ରାଜନୀତି

କଂଗ୍ରେସ ପାଠଶାଳା : ନେତାଙ୍କୁ ତାଗିଦ୍, ବିଶୃଙ୍ଖଳିତ ହୁଅନି

Posted on

ଭୁବନେଶ୍ୱର,: ୨୦୧୯ ସାଧାରଣ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସ ଏବେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ପିସିସି ମୁଖ୍ୟ ଭାବେ ନିରଞ୍ଜନ ପଟ୍ଟନାୟକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମଥର ପାଇଁ ନବନିଯୁକ୍ତ ଜିଲ୍ଲା ସଭାପତିମାନଙ୍କ ଦୁଇଦିନିଆ ବୈଠକ ଡାକିଥିଲେ । ଏଥିରେ ଦଳର ନେତାମାନଙ୍କୁ ଶୃଙ୍ଖଳାର ପାଠ ପଢ଼ାଇବା ସହ ପଦପଦବୀ ପଛୋର ନଧାଇଁ ଦଳ କିଭଳି କ୍ଷମତାକୁ ଆସିବ ସେଥିପାଇଁ ପରିଶ୍ରମ କରିବାକୁ ଆହ୍ୱାନ ଦେଇଥିଲେ । ବିଶୃଙ୍ଖଳାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ଓ ଦଳ ପ୍ରସଙ୍ଗରେ ନେତାମାନେ ବାହାରେ କହି ଅଯଥା ବିବାଦ ସୃଷ୍ଟି ନକରିବାକୁ ଅଲିଖିତ ହୁଇପ୍ ଜାରି କରିଛନ୍ତି । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ କଂଗ୍ରେସ ନେତାମାନଙ୍କ ଦୁଇଦିନିଆ ବୈଠକରେ ଦଳକୁ ସଂଗଠିତ କରିବା ପାଇଁ ପ୍ରାୟ ୮ଘଣ୍ଟାର କସରତ ହୋଇଥିଲା । ସଂଗଠନକୁ ଫୁଲ୍ ସ୍ପିଡ୍ରେ ଆଗକୁ ନେବା ପାଇଁ ୮୦ ଭାଗ ନେତାଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି । ବୁଥସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ପ୍ରତି ନେତାଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦେବାକୁ ସ୍ଥିର ହୋଇଛି । ନେତାମାନଙ୍କୁ ଭୁବନେଶ୍ୱର ପରିବର୍ତ୍ତେ ତୃଣମୂଳସ୍ତରରେ ରହି କାର୍ଯ୍ୟ କଲେ ବିଜୟ ସମ୍ଭାବନା ଦେଖି ଟିକେଟ୍ ପ୍ରଦାନ କରାଯିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି ।
ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତିକ୍ରମେ ଦୁଇ ଦିନିଆ ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କ ଦ୍ୱିତୀୟ ଦିନର ବୈଠକ କଂଗ୍ରେସ ଭବନ ସଭାକକ୍ଷରେ ଆୟୋଜିତ ହୋଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ୨୩ ଗୋଟି ଜିଲ୍ଲାର ଅନେକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ କାର୍ଯ୍ୟକ୍ରମ ଆଲୋଚିତ ହେବା ସହ କାର୍ଯ୍ୟ ଖସଡା ହାତକୁ ନିଆଯାଇଛି । ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ କାର୍ଯ୍ୟକାରୀ ସଭାପତିମାନଙ୍କୁ ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ରର ଦାୟିତ୍ୱ ବଂଟନ କରାଯିବା ସହିତ ଜିଲ୍ଲା ସଭାପତିମାନେ ନିର୍ଦ୍ଦିଷ୍ଟ ସମୟ ଭିତରେ ଜିଲ୍ଲା କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜିଲ୍ଲା କାର୍ଯ୍ୟାଳୟଗୁଡିକ ପ୍ରତ୍ୟହ ୬ ରୁ ୮ ଘଂଟା ଖୋଲା ରଖିବା ଓ ଜିଲ୍ଲା କାର୍ଯ୍ୟାଳୟରେ ଜଣେ କାର୍ଯ୍ୟ ନିର୍ବାହୀ ନିଯୁକ୍ତି ସାଂଗକୁ ରାଜ୍ୟ ଓ ଜାତୀୟ ଘଟଣା ବଦଳରେ ଆଂଚଳିକ ସମସ୍ୟା ସଂପର୍କରେ ଗଣମାଧ୍ୟମକୁ ଅବଗତ କରାଇବା, ବ୍ଲକ କଂଗ୍ରେସ ସଭାପତିମାନଙ୍କୁ ପ୍ରତି ଜିଲ୍ଲା ପରିଷଦ ଜୋନ୍ର ଦାୟିତ୍ୱ ବଂଟନ କରିବା, ଜିଲ୍ଲା ଅଧିନରେ ଥିବା ବିଭିନ୍ନ ବିଧାନସଭା କ୍ଷେତ୍ରରେ ଦଳୀୟ ସଭାର କାର୍ଯ୍ୟସୂଚୀ ଚୂଡା” କରି ଓଡିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଏବଂ ଏଆଇସିସି ସଂପାଦକମାନଙ୍କୁ ଜିଲ୍ଲା କଂଗ୍ରେସର ସଭାପତିମାନେ କାର୍ଯ୍ୟସୂଚୀ ସଂପର୍କରେ ଅବଗତ କରିବା ଓ ପ୍ରତି ଜିଲ୍ଲା ଏବଂ ପିସିସିର ସାଂଗଠନିକ ଜିଲ୍ଲାମାନଙ୍କରେ ହ୍ୱାଟସଅପ୍ ଗ୍ରୁପ୍ ଗଠନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରାରମ୍ଭରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଜିଲ୍ଲା କଂଗ୍ରେସ କଂଗ୍ରେସ ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ଓ ହାତଚିହ୍ନ ବ୍ୟାଚ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅଭିଷେକ ମହାନନ୍ଦ ସୋସିଆଲ ମିଡିଆ ଉପରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ ।
ଏହି ବୈଠକରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିିବ ବିଶ୍ୱାଳ ଏବଂ ପ୍ରଦୀପ ମାଝୀ, ଏଆଇସିସି ସଂପାଦକ ସେକ୍ ମସ୍ତାନ ଭାଲି ଓ ରୁଦ୍ର ରାଜୁ, ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା, ଉପସ୍ଥିତ ଥିବା ବେଳେ ୨୩ ଗୋଟି ଜିଲ୍ଲାର ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ କାର୍ଯ୍ୟକାରୀ ସଭାପତି ଉପସ୍ଥିତ ଥିଲେ । ଶେଷରେ ପଦ୍ମାକର ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ କୋରାପୁଟ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଯୋଗ ଦେଇନଥିଲେ । ଯାହାକୁ ନେଇ ଆଉ ଏକ ନୂଆ ବିବାଦ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version