ରାଜ୍ୟ

‘ବନ୍ଦେ ଉତ୍କଳ ଜନନୀକୁ ମାନ୍ୟତା ନିଷ୍ପତି ବିଚାରାଧୀନ’

Posted on

ଭୁବନେଶ୍ୱର : ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟର ସରକାରୀ ସଙ୍ଗୀତର ମାନ୍ୟତା ଦେବା ସଂକ୍ରାନ୍ତ ନିଷ୍ପତି ଖୁବଶୀଘ୍ର ନିଆଯିବ ବୋଲି ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ସାମ୍ବାଦିକଙ୍କ ପ୍ରଶ୍ନର ଉତରରେ ଶ୍ରୀ ପଣ୍ଡା କହିଛନ୍ତି ଯେ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ବନ୍ଦେ ଉତ୍କଳ ଜନନୀ ପ୍ରତି ଆମ ସମସ୍ତଙ୍କ ଗଭୀର ସମ୍ମାନ ରହିଛି । ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟର ସରକାରୀ ସଙ୍ଗୀତ ଭାବେ ମାନ୍ୟତା ଦେବା ସଂକ୍ରାନ୍ତ ପ୍ରସ୍ତାବ ଏବେ ସରକାରଙ୍କ ବିଚାରାଧୀନ ରହିଛି । ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ସରକାରୀ ସଙ୍ଗୀତର ସ୍ଥିତିକୁ ସମୀକ୍ଷା କରିବା ପରେ ସରକାର ଏ ଦିଗରେ ଉଚିତ୍ ପଦକ୍ଷେପ ନେବେ । ଉଲ୍ଲେଖଯୋଗ୍ୟ, ବନ୍ଦେ ଉତ୍କଳ ଜନନୀ ଆନୁଷ୍ଠାନିକ ଭାବେ ସରକାରୀ ମାନ୍ୟତା ପାଇନଥିଲେ ମଧ୍ୟ ଶରତ କର ବିଧାନସଭା ବାଚସ୍ପତି ଥିବା ସମୟରେ ୨୦୦୨ ଡିସେମ୍ବର୧୯ ତାରିଖରେ ଏହି ସଙ୍ଗୀତକୁ କେହି ଅସମ୍ମାନ କଲେ ତାଙ୍କୁ ଦଣ୍ଡିତ ହେବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ଅବଶ୍ୟ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ୯୦ ଦଶନ୍ଧିରେ ତତ୍କାଳୀନ ବାଚସ୍ପତି ଯୁଧିଷ୍ଠିର ସାମନ୍ତରାୟ ଏହାକୁ ବିଧାନସଭାର ଅଧିବେଶନ ଆରମ୍ଭ ଓ ଶେଷବେଳେ ଗାନ କରିବାକୁ ବାଧ୍ୟତାମୂଳକ କରିଥିଲେ । ବିଧାନସଭାରେ ପ୍ରଥମ ଥର ପାଇଁ ୧୯୯୪ ମସିହା ଡିସେମ୍ବର ୨୧ରେ ଏଇ ସଂଗୀତ ଗାନ କରାଯାଇଥିଲା। ସେବେଠୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ , ସରକାରୀ ଓ ବେସରକାରୀ ଉତ୍ସବରେ ଏହି ସଙ୍ଗୀତକୁ ରାଜ୍ୟର ସଙ୍ଗୀତ ଭାବେ ସମ୍ମାନ ମିଳୁଛି । ତେବେ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ଜାତୀୟ କ୍ରୀଡ଼ା ଭାବେ ମାନ୍ୟତା ଦେବା ସଂକ୍ରାନ୍ତ ସରକାରୀ ବିଜ୍ଞପ୍ତି ପାଇଁ ଅନୁରୋଧ କରିବା ପରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟର ସରକାରୀ ସଙ୍ଗୀତ ଭାବେ ସ୍ୱୀକୃତି ସମ୍ପର୍କିତ ଅଧିସୂଚନା ଜାରି ନିମନ୍ତେ ବିଭିନ୍ନ ମହଲରୁ ଦାବି ଜୋରଦାର ହେଉଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version