Latest
ରାଜଧାନୀରେ ଡେଙ୍ଗୁ ରୋଗୀ ଚିହ୍ନଟ
ଭୁବନେଶ୍ୱର, (ଓଡ଼ିଶା ୱେୟାର):
କରୋନା ଯୋଗୁ କଲବଲ ହୋଇ ଘାଣ୍ଟି ହୋଇଥିବା ରାଜଧାନୀବାସୀଙ୍କୁ ଏବେ ଘାରିଛି ଡେଙ୍ଗୁ ଭୟ। ସମଗ୍ର ରାଜ୍ୟରେ କରୋନା ତଳମୁହାଁ ଥିଲେ ମଧ୍ୟ ତାଲିକାର ଉପରେ ରହୁଛି ଭୁବନେଶ୍ୱର। ଉଭୟ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ରାଜଧାନୀରୁ ହିଁ ସର୍ବାଧିକ ବାହାରୁଛି। ଏପରି ସ୍ଥିତିରେ ଘାରିଲାଣି ଡେଙ୍ଗୁ ଭୟ। କେବଳ ରାଜଧାନୀ ଭୁବନେଶ୍ୱରରୁ ୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।
ଶୈଳଶ୍ରୀବିହାର ଏବଂ କଳ୍ପନା ଅଞ୍ଚଳରୁ ଏହି ସମସ୍ତ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ବ୍ୟତୀତ ଆଉ ପ୍ରାୟ ୨୦ ଜଣଙ୍କଠାରେ ଲକ୍ଷଣ ପ୍ରକାଶ ପାଇଥିବାରୁ ସେମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ତେବେ ରିପୋର୍ଟ ଆସି ନ ଥିବା ଜଣାଯାଇଛି।
ବିଏମ୍ସି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଭୁବନେଶ୍ୱରର ବସ୍ତି ଅଞ୍ଚଳ ଏବଂ ନିଳାଦ୍ରୀ ବିହାର ଓ ଶୈଳଶ୍ରୀ ବିହାରର ବିଭିନ୍ନ କଲୋନୀ ବୁଲି ଡେଙ୍ଗୁ କାହିଁକି ବ୍ୟାପୁଛି, ତାର ସ୍ଥିତି ପରଖିଥିଲେ।