ରାଜ୍ୟ
ମହାନଦୀରେ ଆସୁଛି ବନ୍ୟା, ୬ ଜିଲ୍ଲାକୁ ଆଲର୍ଟ
ଭୁବନେଶ୍ୱର : ଲଘୁଚାପ ବର୍ଷା ଯୋଗୁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ରାଜ୍ୟ ସରକାର ୬ଟି ଉପକୂଳ ଜିଲ୍ଲାରେ ଆଲର୍ଟ ଜାରି କରିଛନ୍ତି । କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସତର୍କ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ଅପରାହ୍ନ କିମ୍ବା ସନ୍ଧ୍ୟା ସୁଦ୍ଧା କଟକର ମୁଣ୍ଡଳୀଠାରେ ମହାନଦୀରେ ସାଢ଼େ ୭ଲକ୍ଷରୁ ୮ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ସମ୍ଭାବନା ଥିବାରୁ ନିମ୍ନ ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।
ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଏହି ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ମହାନଦୀ ଓ ତା’ର ଶାଖା ନଦୀରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଅବଗତ କରିଛନ୍ତି । ଜିଲ୍ଲାପାଳମାନେ ତୁରନ୍ତ ସମ୍ବେଦନଶୀଳ ଓ ଦୁର୍ବଳ ନଦୀବନ୍ଧ ଉପରେ ସତର୍କ ନଜର ରଖିବା ସହ ମୋବାଇଲ ଟିମ୍ ପଠାଇ ତଦାରଖ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବନ୍ୟାଂଚଳ ଓ ତଳିଆ ଅଂଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଆବଶ୍ୟକ ଯୋଜନା ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଛନ୍ତି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଦେଶୀ ଡଙ୍ଗା, ପାୱାର ବୋଟ୍ , ସାଟେଲାଇଟ୍ ଫୋନ୍, ଜେନେରେଟର, ଟାୱାର ଲାଇଟ୍, ଗାଡ଼ି ଆଦି ସହ ବନ୍ୟା-ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ଆବଶ୍ୟକ ସରଞ୍ଜାମ ଉପଲବ୍ଧ ରଖିବାକୁ କୁହାଯାଇଛି । ୨୪ଘଂଟିଆ କଂଟ୍ରୋଲ ରୁମ୍ ଖୋଲିବା ସହ କର୍ମଚାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ କହିଛନ୍ତି ଯେ ମହାନଦୀ ଅବବାହିକାରେ ପ୍ରବଳ ବର୍ଷା ଯୋଗୁ ରବିବାର ଅପରାହ୍ନ ୩ଟାରେ ଖଇରମାଳଠାରେ ୬.୮୬ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଛି । ମହାନଦୀ ନିମ୍ନ ଅବବାହିକାର ସମ୍ବଲପୁରଠାରେ ୫୬୭ମିମି, ବୁର୍ଲାରେ ସର୍ବାଧିକ ୬୨୨ମିମି ଓ ମୁଣ୍ଡଳୀ ମଧ୍ୟରେ ବିଭିନ୍ନ ସ୍ଥାନରେ ୧୦୦ରୁ ୩୦୦ମିମି ବର୍ଷା ରେକର୍ଡ କରାଯାଇଛି । ହୀରାକୁଦ ଜଳଭଣ୍ଡାରରୁ ଏବେସୁଦ୍ଧା ବନ୍ୟାଜଳ ନିଷ୍କାସନ ହୋଇନାହିଁ । କିନ୍ତୁ ଉପରମୁଣ୍ଡରେ ବର୍ଷା ଜଳ ଥିବାରୁ ମହାନଦୀ ମୁଣ୍ଡଳୀଠାରେ ପ୍ରାୟ ୮ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ,ହେବାର ଆଶଙ୍କା ରହିଛି । ତେଣୁ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ମହାନଦୀ ଅବବାହିକା ସୃଷ୍ଟି ହେବାର ଆଶଙ୍କା ରହିଥିବାରୁ ସମସ୍ତ କର୍ମଚାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।