Latest

କୁମାର ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଗାଁଠୁ ସହର

Posted on

ଭୁବନେଶ୍ବର(ଓଡ଼ିଶା ୱେୟାର) :ଆଜି କୁମାର ପୂର୍ଣ୍ଣିମା। ଏଥିପାଇଁ ଚଳଚଞ୍ଚଳ ଗାଁଠୁ ସହର। କାର୍ତ୍ତିକଙ୍କ ପରି ସୁନ୍ଦର ବର ପାଇବା ପାଇଁ କୁମାରୀ ଝିଅମାନେ ବ୍ରତ ରଖିଥାନ୍ତି। ସକାଳୁ ସକାଳୁ ସ୍ନାନ ସାରି ନୂଆ ଡ୍ରେସ ପିନ୍ଧି, ପାଦରେ ଅଳିତା ଲଗାଇ ସଜବାଜ ହୋଇଛନ୍ତି। ଏହାପରେ ହାତରେ ଭୋଗ ଥାଳି ଧରି ତୁଳସୀ ଚଉରା ମୂଳେ ବୃନ୍ଦାବତୀଙ୍କୁ ପୂଜା କରିଛନ୍ତି। ଏଥିସହ ସୂର୍ଯ୍ୟଙ୍କୁ ଆଞ୍ଜୁଳି ଟେକିଛନ୍ତି।

ଘରର ମୁରବୀ ମାନେ ଡାଲାରେ ଖଇ, ବିଭିନ୍ନ ପ୍ରକାର ଫଳ, ନଡିଆ ଓ ଫୁଲ ରଖି ଘରର କୁମାରୀ ଝିଅମାନଙ୍କୁ ସୂର୍ଯ୍ୟ ପୂଜା କରାଇଥିଲେ। ସନ୍ଧ୍ୟାରେ ଚଉଁରା ମୂଳରେ ପୂଜା କରି ପୂର୍ଣ୍ଣ ଚନ୍ଦ୍ରକୁ ବନ୍ଦାଣ କରିବେ କୁମାରୀମାନେ। ମହାଦେବଙ୍କ ପୁତ୍ର କୁମାର କାର୍ତ୍ତିକେୟଙ୍କ ପୂଜା ସହ କୁମାରପୂର୍ଣ୍ଣିମା ପୂଜାର ସାମଞ୍ଜସ୍ୟ ରହିଥିବା ନେଇ ପୁରାଣରେ ବର୍ଣ୍ଣିତ ରହିଛି। ଭାଦ୍ରବରେ ଖୁଦୁରୁକୁଣୀ ପୂଜାଠାରୁ ଆରମ୍ଭ ହୋଇ ଆଜି କୁମାର ପୂର୍ଣ୍ଣମୀରେ ଶେଷ ହୋଇଥାଏ। ଏହି ପର୍ବକୁ ପାଳନ କରିବା ପାଇଁ ସବୁ କୁମାରୀ ଝିଅମାନେ ବର୍ଷ ତମାମ ଅପେକ୍ଷା କରି ରହିଥାନ୍ତି ।

ଅନ୍ଯପଟେ ଧରାପୃଷ୍ଠକୁ ବିରାଜିଛନ୍ତି ଧନଦାତ୍ରୀ ମା’ ଗଜଲକ୍ଷ୍ମୀ । ରାତିରେ ପୂଜାର୍ଚ୍ଚନା ପରେ ମା’ଙ୍କୁ କରାଯାଇଛି ଆବାହନ। ପରଦା ଆଡୁଆଳରେ ପୂଜା ପାଉଛନ୍ତି ଦେବୀ ଧନଦାତ୍ରୀ । ଢେଙ୍କାନାଳର ୩୮ଟି ପୂଜା ମଣ୍ଡପରେ ମା’ଙ୍କ ପୂଜା କରାଯାଉଛି । ୧୧ ଦିନ ଧରି ଚାଲିବ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଚଳିତ ବର୍ଷ ମଉଡ଼ମଣୀ ରାଜଲକ୍ଷ୍ମୀ ମୀନାବଜାର, ଗଣେଷ ବଜାର ଏବଂ ଗୁଡିଆନାଳୀ ପୂଜା ମଣ୍ଡପରେ ଚାନ୍ଦି ମେଢର ଆୟୋଜନ କରାଯାଇଛି ।

ମହାଲକ୍ଷ୍ମୀଙ୍କ ଆଗମନ ପାଇଁ କେନ୍ଦ୍ରାପଡ଼ା ସହର ଚଳଚଞ୍ଚଳ ହୋଇଛି। କେନ୍ଦ୍ରାପଡା ସହରର ୬୨ଟି ସ୍ଥାନରେ ଲକ୍ଷ୍ମୀଙ୍କ ମୃଣ୍ମୟୀ ପୂଜା ପାଉଛନ୍ତି। ଜିଲ୍ଲାରେ ପ୍ରାୟ ୧୫୦ଟି ସ୍ଥାନରେ ମାଙ୍କ ପୂଜା ହେଉଛି। ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଭକ୍ତମାନେ ବାହାରୁ ମା’ଙ୍କୁ ଦର୍ଶନ କରୁଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version